୨୦ ମିନିଟ୍‌ରେ ୨୦ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୨୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବିଧାନସଭା ଅଧିବେଶନ ଯୋଗୁ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ଭାବେ କେହି କିଛି କହିନଥିଲେ ମଧ୍ୟ ମାତ୍ର ୨୦ମିନିଟ୍ ଭିତରେ ଏହି ସମସ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛିି।

ମିଳିଥିବା ସୂଚନା ଅନୁସାରେ, କାଳିଆ ଯୋଜନା ପାଇଁ ପାଣ୍ଠି ଆବଣ୍ଟନ ଓ ହିତାଧିକାରୀଙ୍କୁ ସହାୟତା ବଣ୍ଟନ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। ୨୦୧୯-୨୦ ବର୍ଷ ପାଇଁ ଅତିରିକ୍ତ ପାଣ୍ଠି ବ୍ୟବସ୍ଥା ସହ ୨୦୨୦-୨୧ ମସିହା ପାଇଁ ଅର୍ଥ ବରାଦକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। କାଳିଆ ଯୋଜନାର ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ଦେବା ପାଇଁ ଆବଶ୍ୟକ ବ୍ୟୟବରାଦ ହୋଇଛି।

ସେହିପରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୭ଟି ଜିଲ୍ଲାରେ ୬ଟି ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡର କାର୍ଯ୍ୟକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିବାବେଳେ ସମବାୟ ବିଭାଗର ଦୁଇଟି ବିଲ, ମୃତ୍ତିକା ସଂରକ୍ଷଣ ବିଭାଗର କ୍ୟାଡ଼ର ରୁଲ ସଂଶୋଧନକୁ ମଧ୍ୟ ସବୁଜ ସଙ୍କେତ ମିଳିଛି।
ସେହିପରି କଟକ ଜିଲ୍ଲାର ବାଙ୍କିଠାରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ବିଲ୍ ଖୁବଶୀଘ୍ର ବିଧାନସଭାରେ ଆଗତ ହେବ। ଏହି ବିଶ୍ୱବିଦ୍ୟାଳୟ ପାଇଁ ୧୧୦ଏକର ଜାଗା ଚିହ୍ନଟ ହୋଇସାରିଥିବାବେଳେ ଏନେଇ ରାଜ୍ୟ ସରକାର ଓ ଜଗଦଗୁରୁ କୃପାଳୁ ଯୋଗ ଟ୍ରଷ୍ଟ ମଧ୍ୟରେ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଛି ।

ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫୦ଏକର ଜାଗା ମଗାଯାଇଥିବାବେଳେ ବିଶ୍ୱବିଦ୍ୟାଳୟ ପାଇଁ ମୋଟ୍ ୨୫୦ଏକର ଜମି ଅଧିଗ୍ରହଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ସରକାର ବାକି ୧୪୦ଏକର ଜମି ଯୋଗାଇ ଦେବେ । ଏହି ବିଶ୍ୱବିଦ୍ୟାଳୟରେ ଆର‌୍ୟୁବେଦିକ, ଯୋଗ, ନେଚରପ୍ୟାଥି, ରୁରାଲ ମ୍ୟାନେଜମେଣ୍ଟ, ରୁରାଲ ଇକୋନୋମି, ଏମବିଏ, ଇଞ୍ଜିନିୟରିଂ, ମାଷ୍ଟର ଅଫ ସୋସିଆଲ ୱାର୍କ ଓ ଯୋଗ ଥେରାପି ଆଦି ମୋଟ ୨୧ଟି ବିଷୟରେ ପାଠପଢ଼ା ଯିବ। ୨୦୧୧ ମସିହାରୁ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଥିଲା।

ଏସବୁ ବ୍ୟତୀତ ଆଇନ, ସାଧାରଣ ପ୍ରଶାସନ ଓ ଗୃହ ବିଭାଗର କେତେକ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଥିବା ଜଣାପଡ଼ିଛି।