ହିମ୍ମତ ଅଛିତ ଘରୁ ଉଠାଇ ଦେଖ: ସୁରଙ୍କୁ ଚାଲେଞ୍ଜ ଦେଲେ ତାରା

ଭୁବନେଶ୍ୱର: ଓଡ଼ିଶାର କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି ବିରୋଧୀଦଳ ମୁଖ୍ୟସଚେତକ ତାରାପ୍ରସାଦ ବାହିନୀପତି। କହିଛନ୍ତି-“ଘରୁ ଉଠାଇ ଥରେ ଦେଖନ୍ତୁ। ଆମେ କାହାକୁ ଡରିନାହୁ। ସେ(ସୁର) ପ୍ରସାଦଙ୍କ ଶ୍ୱଶୁର ହୁଅନ୍ତୁ ବା ଯିଏ। ଆମେ କଣ ତାଙ୍କ ଦୟାରେ ଅଛୁ। କଂଗ୍ରେସରେ ରହିଛୁ ରହିବୁ ଓ ଆଗକୁ ରହିବୁ। ଆମକୁ କିଏ ଉଠାଇ ନେବ, କାହାର ହିମ୍ମତ ଅଛି ଦେଖିବା? ଆମେ କାହାକୁ ଡାରିନୁ, କୌଣସି ପରିସ୍ଥିତିରେ କମ୍ପ୍ରମାଇନ୍‌ କରିବୁନି। ଯେଉଁମାନେ ଏପରି କଥା କହୁଛନ୍ତି ସେମାନେ କଂଗ୍ରେସ ଲୋକ ନୁହଁନ୍ତି। ହୋଇଥିଲେ ଏମିତି କହିନଥାନ୍ତେ। ଏମିତି କେତେ ଜଣଙ୍କ ପାଇଁ କଂଗ୍ରେସ ସରକାରକୁ ଆସିପାରୁନି।”

ତାରା କହିଲେ-“କଂଗ୍ରେସ ବିଧାୟକମାନେ କୌଣସି ପରିସ୍ଥିତିରେ ଦଳ କିମ୍ୱା ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରିବାର ନାହିଁ। କଂଗ୍ରେସର ତଳସ୍ତରରୁ ଉପର ପର୍ଯ୍ୟନ୍ତ ପରିବର୍ତ୍ତନ ହେବ ପୁଣି ଆମେ ମଜବୁତ ହେବୁ। ଏପରି ଅନେକ ଥର ହୋଇଛି।”

ଦୁଇ ଦିନ ତଳେ ସୁର ଓ ତାରା ମୁହାଁମୁହିଁ ହୋଇଥିବା ବେଳେ ଗତକାଲି ବିଧାୟକଙ୍କ ଉପରେ ବର୍ଷିଥିଲେ ସୁର। ସେ କହିଥିଲେ-“ମୋ ପାଟି ସିଲ୍ ପାଇଁ ସଭାପତି କହିଛନ୍ତି। ବାଡ଼େଇଲେ, ଗାଳି ଦେଲେ ମଧ୍ୟ କିଛି କହିବିନି। କିନ୍ତୁ ପ୍ରସାଦଙ୍କୁ ଟଚ୍ କଲେ, ଶୋଇଥିଲେ ଘରୁ ଉଠାଇ ଆଣିବୁ। କିଏ ଯଦି ବାଡ଼ାଏ, କଣା କରିଦେବି, ଦଳ ଭୁଲିଯିବି। ମୁଁ ସମ୍ଭାଳିବାର ଲୋକ ନୁହେଁ।”