ଓଡ଼ିଶାରେ ହାତୀ କେତେ ସୁରକ୍ଷିତ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ବିଶ୍ୱ ହାତୀ ଦିବସ। ତେବେ ଓଡ଼ିଶାରେ ହାତୀମାନେ କେତେ ସୁରକ୍ଷିତ, ସେକଥା ନିକଟ ଅତୀତରେ ଘଟିଥିବା ଘଟଣାକୁ ଅବଲୋକନ କଲେ ଭଲ ଭାବେ ଜାଣି ହେବ। ଅଗଷ୍ଟ ୧୦ରେ ଢେଙ୍କାନାଳ-କେନ୍ଦୁଝର ଜିଲ୍ଲା ସୀମାନ୍ତ ରେକୁଟିରେ ଗୋଟିଏ ଆହତ ହାତୀ ପ୍ରାଣ ହରାଇଥିଲା। କଳାପାଟ ସଂରକ୍ଷିତ ଜଙ୍ଗଲରେ ଆହତ ହାତୀଟି ଦୀର୍ଘଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ଶେଷରେ ସୀମାନ୍ତରେ ତା’ର ମୃତ୍ୟୁ ଘଟିଛି। ତା’ ଗୋଡ଼ରେ ଲାଗିଥିବା ଆଘାତ […]

elephant

elephant

Hemant Lenka
  • Published: Thursday, 12 August 2021
  • Updated: 12 August 2021, 02:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ବିଶ୍ୱ ହାତୀ ଦିବସ। ତେବେ ଓଡ଼ିଶାରେ ହାତୀମାନେ କେତେ ସୁରକ୍ଷିତ, ସେକଥା ନିକଟ ଅତୀତରେ ଘଟିଥିବା ଘଟଣାକୁ ଅବଲୋକନ କଲେ ଭଲ ଭାବେ ଜାଣି ହେବ।

ଅଗଷ୍ଟ ୧୦ରେ ଢେଙ୍କାନାଳ-କେନ୍ଦୁଝର ଜିଲ୍ଲା ସୀମାନ୍ତ ରେକୁଟିରେ ଗୋଟିଏ ଆହତ ହାତୀ ପ୍ରାଣ ହରାଇଥିଲା। କଳାପାଟ ସଂରକ୍ଷିତ ଜଙ୍ଗଲରେ ଆହତ ହାତୀଟି ଦୀର୍ଘଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ଶେଷରେ ସୀମାନ୍ତରେ ତା’ର ମୃତ୍ୟୁ ଘଟିଛି। ତା’ ଗୋଡ଼ରେ ଲାଗିଥିବା ଆଘାତ କୌଣସି ତୀର କିମ୍ବା ଗୁଳି ଭଳି ଦେଖାଯାଉଥିଲା। ତେବେ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁ କାରଣ ଜଣାପଡ଼ିବ।

ବିଗତ ୨୦ ଦିନ ମଧ୍ୟରେ ଏଭଳି ଭାବେ କେନ୍ଦୁଝର ଜଙ୍ଗଲ ଡିଭିଜନ ଓ ଏହାର ଆଖପାଖ ଅଞ୍ଚଳରୁ ୫ଟି ହାତୀଙ୍କ ମୃତଦେହ ମିଳିଲାଣି। ଏହି ତଥ୍ୟ ହିଁ ଓଡ଼ିଶାରେ ହାତୀ ସୁରକ୍ଷା କେମିତି ଭୁଶୁଡ଼ି ପଡ଼ିଛି, ସେକଥାକୁ ବୟାନ କରୁଛି।

ଏକଦା ଓଡ଼ିଶା ତା’ ହାତୀମାନଙ୍କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଯୁଦ୍ଧରେ ଆମ ହାତୀଙ୍କ ବୀରତ୍ୱର କଥା ମହାଭାରତରେ ଲେଖା ହୋଇଛି। ମୌର୍ଯ୍ୟଙ୍କଠାରୁ ଆରମ୍ଭ କରି ମୋଗଲମାନେ ହାତୀର ବ୍ୟବହାର କରୁଥିଲେ। ପ୍ରାଚୀନ ଯୁଗରେ ହାତୀମାନଙ୍କ ରପ୍ତାନୀ ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ଦେଶକୁ କରାଯାଉଥିଲା।

କିନ୍ତୁ ଓଡ଼ିଶା ହାତୀଙ୍କ ମରଣଯନ୍ତା ପାଲଟିଗଲାଣି। ସେମାନଙ୍କ ଦୁର୍ଦ୍ଦଶା ଏଠାରେ ବଢ଼ିବାରେ ଲାଗିଛି। ସେମାନଙ୍କ ଯିବା ଆସିବା ରାସ୍ତା ନିୟମିତ ଭାବେ ଖଣି, ଚାଷ, ଶିଳ୍ପ ଓ ସହରୀକରଣ ଯୋଗୁଁ ନଷ୍ଟ ହେବାରେ ଲାଗିଛି। ୧୯୭୯ରେ ଓଡ଼ିଶାରେ ୨୦୪୪ ହାତୀ ଥିଲେ। ୨୦୧୭ ଗଣନା ଅନୁଯାୟୀ ଏହି ସଂଖ୍ୟା ୧୯୭୬କୁ ଖସି ଆସିଛି। ସେମାନେ ଦିନକୁ ଦିନ ଅସୁରକ୍ଷିତ ହୋଇଗଲେଣି। ଆଜିକା ଦିନରେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୬ଟି ସ୍ଥାନରେ ହାତୀ ରହୁଛନ୍ତି।

ଦୁଇ ଦଶନ୍ଧି ମଧ୍ୟରେ ହାତୀଙ୍କ ଲ୍ୟାଣ୍ଡସ୍କେପ ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହୋଇଛି। ୨୦୦୨ରେ କେନ୍ଦୁଝରରେ ୧୧୨ଟି ହାତୀ ଥିବା ବେଳେ ଏବେ ୪୦ରେ ପହଞ୍ଚିଛି। ଖଣି ଖନନ ପାଇଁ ଏପରି ହୋଇଥିବା କୁହାଯାଉଛି। ଢେଙ୍କାନାଳ ଜିଲ୍ଲାରେ ୮୧ଟି ହାତୀ ଥିବା ବେଳେ ଏବେ ଏହା ୧୬୯କୁ ବୃଦ୍ଧି ପାଇଛି। ଏମାନେ ରେଙ୍ଗାଲୀ ଜଳସଚେନ କେନାଲ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଚନ୍ଦକା ଅଭ୍ୟାରଣ୍ୟରେ ପ୍ରାୟ ୭୦ଟି ହାତୀ ଥିଲେ। ସେମାନେ ସୁରକ୍ଷା ଅଭାବରୁ ଗଞ୍ଜାମ, ନୟାଗଡ଼ ଓ କଟକକୁ ଯିବା ବେଳେ ଟ୍ରେନ ଏବଂ ବିଦ୍ୟୁତ ଆଘାତରେ ପ୍ରାଣ ହରାଉଛନ୍ତି।

ହାତୀଙ୍କ ପାଇଁ ବିପଦ କାହିଁକି?

କୋଇଲା, ଲୁହା ପଥର, ବକ୍ସାଇଟ ଭଳି ଖଣିଜ ପଦାର୍ଥ ପାଇଁ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୋଳ ମାଇନିଂ ଜୋନରେ ପରିଣତ ହୋଇଛି। ଏଥିପାଇଁ ହାତୀଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ବେଆଇନ ଖଣି ଖନନ ଓ ଏହାର ଚାଲାଣ ମଧ୍ୟ ହାତୀଙ୍କୁ ଭୟଭୀତ କରୁଛି। ଏକାଧିକ ହାତୀ କରିଡର ବାହାରୁ ଆସିବାକୁ ଥିବା ହାତୀଙ୍କ ପାଇଁ ବନ୍ଦ। ୨୦୧୦ ଜାନୁଆରୀ ମାସରେ ବିଧିବଦ୍ଧ ଭାବେ ୮୭୦ ବର୍ଗ କି.ମି. ଅଞ୍ଚଳରେ ୧୪ଟି ହାତୀ କରିଡର ଚିହ୍ନଟ ହୋଇଥିଲା। ଏହାର ଦୈର୍ଘ୍ୟ ୪୨୦.୯ କିମି ଥିଲା। ଏଗୁଡ଼ିକର ବିକାଶ ପାଇଁ ୨୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରାଯାଇଥିଲା। ରାଜ୍ୟ ସରକାର ୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ହେଁ ପରିବେଶ ସୁରକ୍ଷା ଆଇନ ୧୯୮୬ ଅଧୀନରେ ଏହାର ସଂରକ୍ଷଣ ପାଇଁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି। ୫ଟି ହାତୀ ସଂରକ୍ଷିତ ବନ ମହାନଦୀ (୮,୦୩୬ ବର୍ଗ କିମି), ମୟୂରଭଞ୍ଜ(୭,୦୪୩ ବର୍ଗ କିମି), ସମ୍ବଲପୁର(୫,୮୪୬ ବର୍ଗ କିମି), ଦକ୍ଷିଣ ଓଡ଼ିଶା(୪,୨୧୬ ବର୍ଗ କିମି) ଓ ବୈତରଣୀ ହାତୀ ସଂରକ୍ଷିତ ବନ(୧୦,୫୧୬ ବର୍ଗ କିମି) ରହିଛି। ୨୦୦୭ରେ ଏହାକୁ ଚିହ୍ନଟ କରାଯାଇଥିଲା। କିନ୍ତୁ ଏହା ମଧ୍ୟରୁ ଦୁଇଟି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ମୁଷ୍ଟିମେୟ ଖଣି କମ୍ପାନୀଙ୍କ ପାଇଁ ଏହି ସଂରକ୍ଷଣ ଅଞ୍ଚଳକୁ ଖୋଲା ଛାଡ଼ି ଦିଆଯାଇଛି।

ଦ୍ରୁତ ଆଧୁନିକରଣ ଓ ରେଳ, ରାସ୍ତା, ବିଦ୍ୟୁତିକରଣ ଓ ଜଳସେଚନ କେନାଲ ପାଇଁ ଓଡ଼ିଶାର ହାତୀମାନେ ଯିବା ଆସିବାରେ ସମସ୍ୟା ଭୋଗୁଛନ୍ତି। ୧୧ ବର୍ଷ ୪ ମାସ ମଧ୍ୟରେ ଟ୍ରେନ ଧକ୍କାରେ ୩୧ଟି ଓ ସଡ଼କ ଦୁର୍ଘଟଣାରେ ୬ଟି ହାତୀ ପ୍ରାଣ ହରାଇଛନ୍ତି। ସମାନ ସମୟରେ ବିଦ୍ୟୁତ ଆଘାତରେ ୧୩୫ଟି ହାତୀ ଓ ୮୭ଟି ଶିକାରୀଙ୍କ ଜାଲରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ପ୍ରତିବର୍ଷ ୨୦ଟି ପ୍ରାପ୍ତ ବୟସ୍କ ହାତୀ ପ୍ରାଣ ହରାଉଛନ୍ତି। ସେମାନଙ୍କୁ ହତ୍ୟା କରାଯାଉଛି କିମ୍ବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ ହରାଉଛନ୍ତି।

୨୦୧୦ ଏପ୍ରିଲରୁ ୨୦୨୧ ଅଗଷ୍ଟ ୧୧ ମଧ୍ୟରେ ସ୍ୱାଭାବିକ କାରଣ ପାଇଁ ୩୮୯ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୬ଟି ହାତୀର ମୃତ୍ୟୁର କାରଣ ଜଣାପଡ଼ିନି। ସେହିପରି ଶିକାର ପାଇଁ ୮୬ଟି, ବିଷ ପାଇଁ ୩୭ଟି, ବିଦ୍ୟୁତ ଆଘାତରେ ୧୩୫ଟି, ଟ୍ରେନ ଧକ୍କାରେ ୩୧ଟି, ସଡ଼କ ଦୁର୍ଘଟଣାରେ ୬ଟି ହାତୀ ପ୍ରାଣ ହରାଇଛନ୍ତି। ମୋଟ ୮୬୨ଟି ହାତୀ ଏହି ସମୟ ସୀମା ମଧ୍ୟରେ ଜୀବନ ହରାଇଛନ୍ତି।

ଜଙ୍ଗଲ ମଧ୍ୟରେ ସେମାନେ ସୁରକ୍ଷିତ ମଣୁ ନଥିବାରୁ ଜନବସିତି ମୁହାଁ ହେଉଛନ୍ତି। ଏଥିପାଇଁ ହାତୀ ଓ ମଣିଷ ଲଢ଼େଇ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ୧୦ ବର୍ଷ ମଧ୍ୟରେ ୯୨୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୯୨ ଜଣ ଆହତ ହୋଇଛନ୍ତି।

ହାତୀଙ୍କ ସୁରକ୍ଷା ପାଇଁ ବନ୍ୟଜନ୍ତୁ ପ୍ରେମୀମାନେ ବାରମ୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରୁଥିଲେ ହେଁ ସେ ଏହାକୁ ଅଣଦେଖା କରି ଚାଲିଛନ୍ତି। ହାତୀଙ୍କ ସୁରକ୍ଷାରେ ବିଫଳ ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବହିଷ୍କାର ଦାବି କରାଯାଇଥିଲା। ତଥାପି କିଛି ବି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଓଡ଼ିଶା ବନ୍ୟ ପ୍ରାଣୀ ସମାଜ ପକ୍ଷରୁ ବିଶ୍ୱଜିତ ମହାନ୍ତି ଏସବୁ ତଥ୍ୟ ପ୍ରକାଶ କରି ଓଡ଼ିଶା ସରକାର ଏବଂ ଜନ ସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos