୫ ବର୍ଷ ପରେ ବି କରିପାରିଲେନି ପିଡିଏସ୍ ଡିଲରଙ୍କୁ ଉଚ୍ଛେଦ, ପୁଣି ୬ ମାସ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ରାଜ୍ୟରେ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଇନ-୨୦୧୬ କାର୍ଯ୍ୟକାରୀ କରିବାର ୫ବର୍ଷ ବିତିଯାଇଥିଲେ ମଧ୍ୟ ବେସରକାରୀ ଡିଲରଙ୍କୁ ଉଚ୍ଛେଦ କରିବାକୁ ରାଜ୍ୟ ସରକାର ସାହସ କରିପାରି ପାରିନାହାନ୍ତି। ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏବେ ପୁଣିଥରେ ପିଡିଏସ ସାମଗ୍ରୀ ବଣ୍ଟନ କରୁଥିବା ବେସରକାରୀ ଡିଲର(ପ୍ରାଇଭେଟ୍ ଡିଲର)ଙ୍କ କାର୍ଯ୍ୟକାଳକୁ ଆଉ ୬ମାସ ବୃଦ୍ଧି କରିଛନ୍ତି। ଏଥିପାଇଁ ରାଜ୍ୟ କ୍ୟାବିନେଟ ଅନୁମତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବେସରକାରୀ ଡିଲରମାନଙ୍କ ଦ୍ୱାରା ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ) ସୁଚାରୂ ରୂପେ ଚାଲୁ ରଖିବା ପାଇଁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ, ୨୦୧୬ର ଧାରା ୪(୬)ରେ ନିର୍ଦ୍ଧାରିତ ସମୟସୀମାର ଅବଧି ୫ବର୍ଷରୁ ୫ବର୍ଷ ୬ମାସକୁ ବୃଦ୍ଧି କରିବାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ପିଡିଏସ ବ୍ୟବସ୍ଥାରେ ମୋଟ ୧୩,୯୪୯ଟି ସୁଲଭ ମୂଲ୍ୟ ଦୋକାନ(ଫେୟାର ପ୍ରାଇସ୍ ସପ) ଥିବାବେଳେ ସେଥିରୁ ୬୪୧୦ଟି ଆନୁଷ୍ଠାନିକ ଡିଲର ଓ ୭୫୩୯ଟି ବେସରକାରୀ ଡିଲର(ରାଜନୀତିକ ପୃଷ୍ଣପୋଷକତା ଥିବା ବ୍ୟକ୍ତି)ଙ୍କ ମାଧ୍ୟମରେ ପରିଚାଳିତ ହେଉଛି।

୨୦୧୬ ମାର୍ଚ୍ଚ ୧୬ତାରିଖରୁ ରାଜ୍ୟରେ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ, ୨୦୧୬ କାର୍ଯ୍ୟକ୍ଷମ ହେବାର ୨ବର୍ଷ ମଧ୍ୟରେ(୨୦୧୮ ମାର୍ଚ୍ଚ ସୁଦ୍ଧା) ସମସ୍ତ ବେସରକାରୀ ଡିଲରଙ୍କୁ ଉଚ୍ଛେଦ କରି ଆନୁଷ୍ଠାନିକ ଡିଲରଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଇତିମଧ୍ୟରେ ୫ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଘରୋଇ ଡିଲରମାନଙ୍କୁ ସରକାର ଉଚ୍ଛେଦ କରିପାରିନାହାନ୍ତି। ଓଲଟା କ୍ୟାବିନେଟ ପୁଣିଥରେ ସେମାନଙ୍କୁ ୬ମାସ ପାଇଁ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଛନ୍ତି। ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ଏହି ଡିଲରମାନେ ବିଜେଡିର ଭୋଟବ୍ୟାଙ୍କ ବୃଦ୍ଧିରେ ସହାୟକ ଥିବାରୁ ବିଜେଡି ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।