କରୋନା ଟେଷ୍ଟିଂ ଅବଧି ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ବ‍ଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଟେଷ୍ଟିଂ ବଢ଼ାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଜିଲ୍ଲା ଦାୟିତ୍ୱରେ ୬ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ଶ୍ରୀ ମହାପାତ୍ର କହିଛନ୍ତି-“ଦେଶରେ କେତେକ ରାଜ୍ୟରେ ହଠାତ ସଂକ୍ରମଣ ବଢ଼ି ଚାଲିଛି। କିନ୍ତୁ ଏବେ ଓଡ଼ିଶାରେ ନିୟନ୍ତ୍ରଣାଧୀନ ଅଛି। ୫ ରାଜ୍ୟରୁ ଆସୁଥିବା ଲୋକଙ୍କ ପ୍ରତି ନଜର ରଖାଯାଇଛି। ଯେଉଁମାନେ ଆସୁଛନ୍ତି, ସେମାନଙ୍କର ଟେଷ୍ଟିଂ କରାଯାଉଛି। ଏୟାରପୋର୍ଟ ଓ ଷ୍ଟେସନରେ ଯାଞ୍ଚ ହେଉଛି। ଲକ୍ଷଣ ଥିଲେ ଟେଷ୍ଟ କରାଯାଉଛି। ଜିଲ୍ଲାମାନଙ୍କରେ ମଧ୍ୟ ଟେଷ୍ଟିଂ ବଢ଼ାଇବାକୁ ଗୁରୁତ୍ୱ ଦିଆଯାଉଛି। ଜଣେ ସ୍ୱତନ୍ତ୍ର ସଚିବଙ୍କ ସହ ୩୦ ଜିଲ୍ଲା ପାଇଁ ୬ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି। ଟେଷ୍ଟିଂ ଅବଧି ମାର୍ଚ୍ଚ ଶେଷ ଯାଏ ଥିଲା। ତାକୁ ଏପ୍ରିଲ ୩୦ଯାଏ ବଢ଼ାଯାଇଛି।”

ସେପଟେ ଆଜି ରାଜ୍ୟରେ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ରହିଛି ମୟୂରଭଞ୍ଜ ଜିଲ୍ଲା। ଏଠାରୁ ୮ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ କଟକ, ଖୋର୍ଦ୍ଧାରୁ  ୭ ଜଣ ଲେଖାଏ ଅଛନ୍ତି। ସେହିପରି ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିରରୁ ୨ଜଣ ଲେଖାଏ, ବାଲେଶ୍ୱର, ରାୟଗଡ଼ା, ଗଞ୍ଜାମ,  ଢେଙ୍କାନାଳରୁ ଜଣେ ଲେଖାଏ,  କଳାହାଣ୍ଡିରୁ ୩,  ବରଗଡ, ଗଜପତିରୁ ୪ ଜଣ ଲେଖାଏ, ଯାଜପୁରରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି।

ମହାରାଷ୍ଟ୍ରରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ସ୍ଥିତି ବିଗୁଡୁଥିବା ଦେଖି ପ୍ରଶାସନ ଗୋଟିଏ ପରେ ଗୋଟିଏ ସହରରେ କଟକଣା ଲଗାଉଛି। ପୁଣେରେ ସଂକ୍ରମଣ ବଢ଼ୁଥିବାରୁ ଆଜିଠାରୁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି।  ୩୧ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରାଯାଇଛି। ସେହିପରି ପୁଣେରେ ଥିବା ହୋଟେଲ ଓ ବାର୍‌ ଗୁଡ଼ିକ ରାତି ୧୦ଟାରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମହରାଷ୍ଟ୍ର ବ୍ୟତୀତ ପଞ୍ଜାବର ଲୁଧିଆନା ଓ ପଟିଆଲାରେ ନାଇଟ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ଆଜି ରାତି ୧୧ଟାରୁ ଭୋର ୫ଟା ଯାଏ କେବଳ ଜରୁରୀ ସେବାକୁ ଛାଡ଼ି ଦେଲେ ସାଧାରଣ ଲୋକ କିମ୍ବା ଦୋକାନ ବଜାର ଖୋଲି ପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହା ବଳବତ୍ତର ରହିବ। ନାଇଟ କର୍ଫ୍ୟୁରୁ ପୁଲିସ୍‌ ଓ ଆର୍ମି କର୍ମଚାରୀ, ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ଓ ସରକାରୀ କର୍ମଚାରୀଙ୍କୁ ବାଦ୍‌ ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।