୬୯ଜଣ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସୁରକ୍ଷା ଦେଇଛନ୍ତି ସରକାର, ଲୋକାୟୁକ୍ତଙ୍କ ନୋଟିସ ବି ବେଖାତିର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତି ଆପଣାଇଥିବା ଓଡ଼ିଶା ସରକାର ୨୦୧୫ରୁ ୨୦୨୦ ମସିହା ମଧ୍ୟରେ ୬୯ ଜଣ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁମତି ଦେଇନଥିବା ଜଣାପଡ଼ିଛି। ଏପରିକି ଓଡ଼ିଶା ଲୋକାୟୁକ୍ତ ଏହି ଅଭିଯୋଗକୁ ଗ୍ରହଣ କରି ସମ୍ପୃକ୍ତ ଅଫିସରମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ସେ ନେଇ ଜବାବ ଦାଖଲ କରିବାକୁ ମୁଖ୍ୟ ସଚିବଙ୍କୁ ୬ସପ୍ତାହ ସମୟ ଦେଇଥିଲେ ମଧ୍ୟ ସେ ଏଥିପ୍ରତି ଗୁରୁତ୍ୱ ଦେଇନଥିବା ଜଣାପଡ଼ିଛି। ଲୋକାୟୁକ୍ତ ପୁଣିଥରେ ମୁଖ୍ୟ ସଚିବଙ୍କୁ ନୋଟିସ କରି ଏପ୍ରିଲ ୭ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ୍ ସିଂଙ୍କ ଖଣ୍ଡପୀଠ ସୂଚନାକର୍ମୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଅଭିଯୋଗର ଶୁଣାଣି କରି ୨୦୨୧ ଜାନୁୟାରୀ ୨୭ତାରିଖରେ ମୁଖ୍ୟ ସଚିବଙ୍କୁ ୬ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେଉଁ କାରଣରୁ ଦୁର୍ନୀତି ଅଭିଯୋଗ ଆସିଥିବା ୬୯ଜଣ ଅଧିକାରୀଙ୍କ ତଦନ୍ତ ନିମନ୍ତେ ସରକାର ଅନୁମତି ଦେଇନାହାନ୍ତି ତା’ର ଜବାବ ରଖିବା ପାଇଁ ମୁଖ୍ୟସଚିବଙ୍କୁ ନୋଟିସ ଜାରି କରି ଲୋକାୟୁକ୍ତ ଏହାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୫ତାରିଖକୁ ଧାର୍ଯ୍ୟ କରିଥିଲେ। ମାତ୍ର ଏହି ଅବଧି ମଧ୍ୟରେ ମୁଖ୍ୟ ସଚିବଙ୍କ ଦ୍ୱାରା ଜବାବ ଦାଖଲ ନହେବାରୁ ଲୋକାୟୁକ୍ତ ପୁଣିଥରେ ନୋଟିସ ଜାରି କରି ଏପ୍ରିଲ ୭ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୫ରୁ ୨୦୨୦ ମସିହା ମଧ୍ୟରେ ବିଭିନ୍ନ ସୂତ୍ରରୁ ମିଳିଥିବା ଅଭିଯୋଗ ଆଧାରରେ ମୋଟ ୨୭୭ଜଣଙ୍କ ନାଁରେ ଦୁର୍ନୀତି ମାମଲା ରୁଜୁ ହୋଇଥିବାବେଳେ ୬୯ଜଣ ଅଫିସରଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ସରକାର ଅନୁମତି ଦେଇନଥିଲେ। ୨୦୧୫ ମସିହାରେ ୧୧୧ଜଣ , ୨୦୧୬ରେ ୮୧ଜଣ,୨୦୧୭ରେ ୪୭ଜଣ, ୨୦୧୮ରେ ୨୭ଜଣ ଓ ୨୦୧୯ରେ ୧୧ଜଣ ସରକାରୀ ଅଫିସରଙ୍କ ବିରୁଦ୍ଧରେ ଦୁର୍ନୀତି ତଦନ୍ତ ପାଇଁ ଅନୁମତି ଦେଇଥିବା ସରକାର ୨୦୨୦ ମସିହାରେ ଜଣେ ବି ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେଇନାହାନ୍ତି। ଅନ୍ୟପକ୍ଷରେ ୨୦୧୫ରେ ୩ଜଣ, ୨୦୧୬ରେ ୩ଜଣ, ୨୦୧୭ରେ ୫ଜଣ, ୨୦୧୮ରେ ୧୮ଜଣ, ୨୦୧୯ରେ ୨୧ଜଣ ଓ ୨୦୨୦ରେ ୧୯ଜଣ ଅଫିସରଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ସରକାର ଅନୁମତି ଦେଇନଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।