ଧାନ କିଣାକୁ ନେଇ ପୁଣି ଆଶ୍ୱାସନା ଦେଲେ ସରକାର: ୩୧ ପର୍ଯ୍ୟନ୍ତ ଚାଲିବ ଧାନକିଣା, ବିରୋଧୀ ଖପ୍ପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣ୍ଡିରେ ଚାଷୀଙ୍କଠୁ ଧାନ କିଣା ଦାବିରେ ଗୃହରେ ୬ଦିନ ଧରି ବିରୋଧୀ ଦଳ ହଟ୍ଟଗୋଳ କରିବାପରେ ଆଜି ରାଜ୍ୟ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଧାନକିଣା ପ୍ରସଙ୍ଗରେ ଫେବୃୟାରୀ ୨୬ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ମାର୍ଚ୍ଚ ୧୨ତାରିଖରେ ଯୋଗାଣ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ଆଜି ପୁଣିଥରେ ଗୃହରେ ଦୋହରାଇଛନ୍ତି। ସମସ୍ତ ପଞ୍ଜିକୃତ ପ୍ରକୃତ ଚାଷୀଙ୍କଠୁ ଧାନ କିଣିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଧାନକିଣା କାର୍ଯ୍ୟକ୍ରମ ଏବେ ଜାରି ରହିଛି ଓ ଏହା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ତେବେ ମନ୍ତ୍ରୀଙ୍କ ଏହି ଉତ୍ତରକୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି। ଯୋଗାଣ ମନ୍ତ୍ରୀ କେବଳ ପୁରୁଣା କଥାକୁ ଦୋହରାଇଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଛି। ଯେଉଁଥିପାଇଁ ଗୃହରେ ପୁଣିଥରେ ଅଚଳାବସ୍ଥା ଦେଖାଦେଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ୱାଭାବିକ ପାଇଁ ଉଦ୍ୟମ କରିଛନ୍ତି ।

ବାଚସ୍ପତିଙ୍କ ନିର୍ଦ୍ଦେଶରେ ଆଜି ପ୍ରଶ୍ନକାଳ ସରିବା ପରେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟରେ ଧାନକିଣା ପ୍ରସଙ୍ଗରେ ବିବୃତ୍ତି ରଖିଥିଲେ। ଶ୍ରୀ ସ୍ୱାଇଁ କହିଥିଲେ ଯେ ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ମୋଟ ୬୧.୨୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ସଂଗୃହୀତ ଧାନର ମୂଲ୍ୟ ୧୧,୪୪୧କୋଟି ଟଙ୍କା। ଧାନ କ୍ରୟ ଜାର୍ଯ୍ୟକ୍ରମ ଜାରି ରହିଛି ଓ ଏହା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । କୌଣସି ପଞ୍ଜିକୃତ ଯୋଗ୍ୟ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି ।

ଗତ ଖରିଫରେ ଏହି ସମୟ ସୁଦ୍ଧା ୫୧.୭୩ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ କରାଯାଇଛି। ବିଗତ ଖରିଫ ତୁଳନାରେ ଚଳିତ ଖରିଫରେ ଧାନ କିଣା ହାର ୧୮% ଅଧିକ ରହିଛି ।ଚଳିତ ଖରିଫରେ ଏପର୍ଯ୍ୟନ୍ତ ୧୧.୫୦ଲକ୍ଷ ଚାଷୀ ଧାନ ବିକ୍ରି କରିଛନ୍ତି । ବଲାଙ୍ଗିର, ଦେବଗଡ଼, ନୂଆପଡ଼ା, ମୟୂରଭଞ୍ଜ, ନବରଙ୍ଗପୁର, ବରଗଡ଼, ଗଜପତି ଓ ଭଦ୍ରକ ଜିଲ୍ଲାରେ ଧାନ କିଣାରେ ହୋଇଥିବା ଅନିୟମିତତା, ଟୋକେନ ଅବଧି ସରିବା ଆଦି ଘଟଣାର ତଦନ୍ତ କାର୍ଯ୍ୟ ଚାଲିଛି । ଠିକଣା ସମୟରେ ସମାପନ କରାଯିବ। ପଞ୍ଜିକୃତ ହୋଇଥିବା ପ୍ରକୃତ ଚାଷୀଙ୍କ ଧାନ ମାର୍ଚ୍ଚ ୩୧ତାରିଖ ପୂର୍ବରୁ ଉଠାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୨ରେ ମନ୍ତ୍ରୀ ଦେଇଥିବା ବିବୃତ୍ତି ଅନୁସାରେ ମୋଟ ୬୦.୪୦ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି। ଅର୍ଥାତ୍ ୭ଦିନ ମଧ୍ୟରେ ୮୪ହଜାର ମେଟ୍ରିକ ଟନ୍ ଧାନ କିଣା ଯାଇଛି।

ତେବେ ମାର୍ଚ୍ଚ ୧୨ରେ ମନ୍ତ୍ରୀ ଗୃହରେ ଦେଇଥିବା ବିବୃତ୍ତି ଓ ଆଜିର ବିବୃତ୍ତି ମଧ୍ୟରେ କୌଣସି ନୂଆ କଥା ନାହିଁ ବୋଲି କହି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରିବ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ କଳାପଟି ବାନ୍ଧି ବସିଥିଲେ । ସେହିପରି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ହୋଇ ତଥା ସେମାନଙ୍କୁ କହିବାକୁ ସୁଯୋଗ ନମିଳିବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗରେ ଧାରଣାରେ ବସିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଚନ୍ତି ଯେ, ଧାନକିଣା ପ୍ରସଙ୍ଗରେ ନବୀନବାବୁ ପ୍ରତାରଣା କରିଛନ୍ତି। ଖାଦ୍ୟଯୋଗାଣ ମନ୍ତ୍ରୀ ଧାନକିଣା ନେଇ ବିବୃତ୍ତି ଦେବାପରେ ଏକଥା ସ୍ପଷ୍ଟ ହୋଇଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।