‘ଆଶା’ଙ୍କୁ ସମ୍ମାନ ଏମିତି…!

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ‘ଆଶା’ଙ୍କୁ ପ୍ରୋତ୍ସାହନ ରାଶି ଦେବାରେ ବି ତଳେ ଓଡ଼ିଶା ! କେନ୍ଦ୍ର ଦେଉଛି ମାସିକ ୨୦୦୦ ହଜାର ଟଙ୍କା ସ୍ଥିର ପ୍ରୋତ୍ସାହନ ରାଶି। ପ୍ରଦର୍ଶନକୁ ଦେଖି ଅନ୍ୟ କାମ ପାଇଁ ବି ମିଳୁଛି କିଛି ଭତ୍ତା। ରାଜ୍ୟଗୁଡ଼ିକ ଯୋଡ଼ୁଛନ୍ତି ନିଜସ୍ୱ ପ୍ରୋତ୍ସାହନ ରାଶି। ୨୦୦୫ରେ ଆରମ୍ଭ ହୋଇଥିଲା ସ୍ୱାସ୍ଥ୍ୟ ମିଶନ-ଏନ୍ଏଚ୍ଏମ୍ । ଆଉ ଏନଏଚଏମର ଅଭିନ୍ନ ଅଙ୍ଗ ହେଉଛନ୍ତି ଆଶା କର୍ମୀ ଓ ସାଥୀ।

ଦେଶରେ ୧୦.୭୨ ଲକ୍ଷ ଆଶା କର୍ମୀ ଗ୍ରାମାଞ୍ଚଳ ଓ ସହରାଂଚଳରେ ସବୁ ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଁଚାଇବାରେ ଗୁରୁ ଦାୟିତ୍ୱ ନେଉଛନ୍ତି। ପିଲା ଜନ୍ମ ହେବା ପୂର୍ବ ଓ ପର’ର ସ୍ବାସ୍ଥ୍ୟଗତ ଯତ୍ନ, ମାତୃ-ଶିଶୁ ମୃତ୍ୟୁ ହାର କମାଇବା, ସଂକ୍ରାମକ ରୋଗ ରୋକିବାରେ ପ୍ରମୁଖ ଦାୟିତ୍ୱ ନେଉଛନ୍ତି। ଓଡ଼ିଶାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ରେ ଏବେ କାମ କରୁଛନ୍ତି ୪୭ ହଜାରରୁ ଅଧିକ ଆଶା କର୍ମୀ ଓ ଆଶା ସାଥୀ ବା’ ସୁପରଭାଇଜର। ଆଶା କର୍ମୀଙ୍କୁ ରାଜ୍ୟଗୁଡ଼ିକ ନିଜ ପାଣ୍ଠିରୁ ଅଧିକ ପ୍ରୋତ୍ସାହନ ରାଶି ଦେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥାନ୍ତି। ହେଲେ ଦେଖାଯାଉଛି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସରକାର ଏମାନଙ୍କୁ ଖୁବ୍ କମ୍ ଇନସେଣ୍ଟିଭ/ଅନରାରିୟମ୍ ବା ପ୍ରୋତ୍ସାହନ ରାଶି ଦେଉଛନ୍ତି। ଏମିତିକି ୨୦ରୁ ଅଧିକ ଆଶା କର୍ମୀମାନଙ୍କୁ ପରିଚାଳନା କରୁଥିବା ‘ଆଶା ସାଥୀ’ମାନଙ୍କୁ ବି ଆହୁରି କମ୍ ଅର୍ଥ ମିଳୁଛି। ଏ ନେଇ ବାରମ୍ବାର ବିକ୍ଷୋଭ କରୁଛନ୍ତି।

ଆଶା ସାଥୀ ପଦ୍ମାବତୀ ସାହୁ ଓ ଜୟନ୍ତୀ ପ୍ରଧାନ ପ୍ରମୁଖ ଏ ନେଇ କିଛି ଦିନ ହେଲା ଭୁବନେଶ୍ୱର ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରୁଛନ୍ତି।

ସଂସଦରେ ଜୁଲାଇ ୨୨ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଡ. ଭାରତୀ ପ୍ରବୀନ ପାୱାର ଦେଇଥିବା ଲିଖିତ ଉତ୍ତର ଦେଖନ୍ତୁ। ଆଶା କର୍ମୀଙ୍କ ପାଇଁ କେନ୍ଦ୍ର ସରକାର ମାସିକ ୨ ହଜାର ଟଙ୍କା ଫିକ୍ସଡ୍ ବା’ ସ୍ଥିର ପ୍ରୋତ୍ସାହନ ରାଶି ଏବଂ ଦକ୍ଷତାକୁ ଦେଖି ଅଧିକ ଅର୍ଥ ରାଶି ଦେଉଥିବା ବେଳେ ଓଡ଼ିଶା ସରକାର ୨୦୧୮ ମସିହା ପରେ ମାସିକ ମାତ୍ର ୧ ହଜାର ଟଙ୍କା ଅଧିକ ଅର୍ଥ ରାଶି ଦେଉଛନ୍ତି। ଯେତେବେଳେ କି ଆନ୍ଧ୍ର ସରକାର ମାସିକ ମୋଟ ପ୍ରୋତ୍ସାହନ ରାଶିକୁ ୧୦ ହଜାର ଟଙ୍କା କରିଛନ୍ତି। ପଶ୍ଚିମବଙ୍ଗ ଅଧିକ ୩ ହଜାର, ହରିୟାନା ଅଧିକ ୪ ହଜାର, କେରଳ ଅଧିକ ୫ ହଜାର, ସିକିମ ଅଧିକ ୬ ହଜାର ଟଙ୍କା ଦେଉଛନ୍ତି। ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ରାଶି ପ୍ରାୟ ତଳ ପଟେ ରହିଥିବା ଦେଖାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।