୨୨ ବର୍ଷରେ କେନ୍ଦ୍ରକୁ ଗୋଟିଏ ବି ପ୍ରସ୍ତାବ ଦେଇନି ଓଡ଼ିଶା: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ନିଜର ସ୍ୱାର୍ଥ ପାଇଁ ମହାନଦୀରେ ଅନେକ ପ୍ରକଳ୍ପ କରିଛି । କିନ୍ତୁ ଗତ ୨୨ବର୍ଷ ମଧ୍ୟରେ ଓଡ଼ିଶା ସରକାର କେନ୍ଦ୍ରକୁ ଗୋଟିଏ ପ୍ରସ୍ତାବ ଦେଇନାହାନ୍ତି । ଏପରିକି ରାଜ୍ୟ ସରକାର ଗୋଟିଏ ବି ଚିଠି କେନ୍ଦ୍ର ସରକାର କିମ୍ବା କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ଲେଖିନାହାନ୍ତି ବୋଲି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଟୁଡ଼ୁ କହିଛନ୍ତି ଯେ, ଛତିଶଗଡ଼ ତା’ର ଲୋକଙ୍କ ସ୍ୱାର୍ଥ ପାଇଁ ମହାନଦୀରେ ବ୍ୟାରେଜ ନିର୍ମାଣ କରୁଛି । କିନ୍ତୁ ଓଡ଼ିଶା ସରକାର ମହାନଦୀରେ ଗୋଟିଏ ବି ପ୍ରକଳ୍ପ ନିର୍ମାଣ ନିମନ୍ତେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ପାଖରେ ଗୋଟିଏ ବି ପ୍ରସ୍ତାବ ଦାଖଲ କରିନାହାନ୍ତି । ଯଦି ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିପାରୁଛନ୍ତି, ତା’ହେଲେ ଓଡ଼ିଶା ସରକାର ତଳମୁଣ୍ଡରେ ଅନୁରୂପ ପ୍ରକଳ୍ପ ନିର୍ମାଣ କରିବାରେ ଅସୁବିଧା କେଉଁଠି । ଓଡ଼ିଶା ସରକାର ତ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ଦେଇନାହାନ୍ତି।

ରାଜ୍ୟରେ ଜଳ ଅଭାବ ଓ ଜଳ ବୁଡ଼ି ସମସ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ଏବେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରୁଛନ୍ତି। ସେ ଏହି ଅବସରରେ ମହାନଦୀରେ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ ଓଡ଼ିଶା ସରକାରଙ୍କୁ ଆହ୍ୱାନ କରିଛନ୍ତି । କେନ୍ଦ୍ରରେ ବିଜେପି ସରକାର ସମୟରେ ଅନେକ ବିକାଶମୂଳକ କାର୍ଯ୍ୟ ସମ୍ପାଦନ ହୋଇପାରିବ ବୋଲି ଶ୍ରୀ ଟୁଡ଼ୁ କହିଛନ୍ତି। ସୂଚନାଯୋଗ୍ୟ, ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରୁଥିବାରୁ ଯୋଗୁ ଏବେ ମହାନଦୀ ଶୁଖିବାକୁ ବସିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।