ମେ’ରେ ଦିନର ତାପମାତ୍ରା କମିବ, ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଏପ୍ରିଲ୍ ମାସରେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇଥିବା ବେଳେ ମେ’ ମାସରେ ଏଥିରୁ ନିସ୍ତାର ମିଳିବାର ସମ୍ଭାବନା ରହିଛି। ଯଦି ଭାରତୀୟ ପାଣିପାଗ ବିଭାଗର ଆକଳନ ଠିକ୍ ହୁଏ, ତା’ହେଲେ ଆସନ୍ତା ମାସରେ ରାଜ୍ୟରେ ଦିନର ସର୍ବାଧିକ ତାପମାତ୍ରା କମ୍ ରହିବ (ସାଧାରଣତଃ ମେ’ ମାସରେ ଯେତିକି ରହେ, ତା’ଠାରୁ ଏ ବର୍ଷ କମ୍ ରହିବ)। ସେହିଭଳି ରାଜ୍ୟରେ ସାଧାରଣତଃ ମେ’ ମାସରେ ଯେତିକି ବର୍ଷା ହୁଏ, ଏଥର ତା’ଠାରୁ ଅଧିକ ବର୍ଷା ହେବ।

ଏ ସଂପର୍କରେ ସୂଚନା ଦେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆଜି ଆମେ ମେ’ ମାସ ପାଇଁ ଯେଉଁ ୱେଦର ଆଉଟ୍‌ଲୁକ୍ ଜାରି କରିଛୁ, ସେହି ଅନୁସାରେ ଓଡ଼ିଶାର ସର୍ବାଧିକ ତାପମାତ୍ରା ସାଧାରଣତଃ ଯେତିକି ରହିଥାଏ, ତା’ଠାରୁ କମ୍ ରହିବାର ସମ୍ଭାବନା ରହିଛି। ସେହିପରି ମେ’ ମାସରେ ସର୍ବନିମ୍ନ ତାପମାତ୍ରା ଯେତିକି ରହିଥାଏ, ଏଥର ତା’ଠାରୁ ଅଧିକ ରହିବାର ସମ୍ଭାବନା ରହିଛି। ଅର୍ଥାତ୍, ଓଡ଼ିଶାରେ ମେ’ ମାସରେ ଦିନର ତାପମାତ୍ରା ସାଧାରଣତଃ ଯେତିକି ରହିଥାଏ, ଏଥର ମେ’ ମାସରେ ଦିନର ତାପମାତ୍ରା ତା’ଠାରୁ କମ୍ ରହିବାର ସମ୍ଭାବନା ରହିଛି। କିନ୍ତୁ ମେ’ ମାସରେ ରାଜ୍ୟରେ ରାତିରେ ସାଧାରଣତଃ ତାପମାତ୍ରା ଯେତିକି ରହିଥାଏ, ଚଳିତ ବର୍ଷ ତା’ଠାରୁ ଅଧିକ ରହିବାର ସମ୍ଭାବନା ରହିଛି। କାଳବୈଶାଖୀ ବର୍ଷା ଯୋଗୁ ଏଥର ମେ’ ମାସରେ ଏମିତି ସ୍ଥିତି ଦେଖିବାକୁ ମିଳିପାରେ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।

ସେ ଆହୁରି କହିଛନ୍ତି, ମେ’ ମାସରେ ଓଡ଼ିଶାରେ ସାଧାରଣତଃ ଯେତିକି ବର୍ଷା ହୋଇଥାଏ, ତା’ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
ମେ’ ୬ ତାରିଖ ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମେ’ ମାସରେ ସାଧାରଣତଃ ଯେତେବେଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ, ତା’ର ତୀବ୍ରତା ବଢ଼ିବାର ବହୁ ଅଧିକ ସମ୍ଭାବନା ଥାଏ। ତେଣୁ ବାତ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବନାହିଁ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଯାଇ ବାକି କଥା ଆକଳନ କରାଯାଇପାରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ମାସର ଆଜି ଶେଷ ଦିନ ହୋଇଥିବା ବେଳେ ରାଜ୍ୟରେ ୩ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିଲା। ଟିଟିଲାଗଡ଼ର ତାପମାତ୍ରା ୪୫.୫ ଡିଗ୍ରୀ ରହିଥିବା ବେଳେ ବୌଦ୍ଧ ଓ ବଲାଙ୍ଗିରରେ ୪୫ ଡିଗ୍ରୀ ରହିଥିଲା। ସେହିପରି ମୋଟ ୯ଟି ସହରର ତାପମାତ୍ରା ୪୪ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।