ଆଦିବାସୀ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି

ପଦ୍ମପୁର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ଫୋକସ୍‌ରେ ରହିଛି ଆଦିବାସୀ ଭୋଟ। କାରଣ ଏହି ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୯ ପ୍ରତିଶତ ଆଦିବାସୀ ଭୋଟ୍ ରହିଛି। ତେଣୁ ସବୁ ଦଳ ଏହି ଭୋଟ୍ ବ୍ୟାଙ୍କ ଉପରେ ବିଶେଷ ଦୃଷ୍ଟି ଜମାଇଛନ୍ତି  ଓ ପ୍ରସ୍ତୁତି କରିଛନ୍ତି ସ୍ୱତନ୍ତ୍ର ଷ୍ଟ୍ରାଟେଜି। ଅନ୍ୟମାନଙ୍କ ବ୍ୟତୀତ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ବିଶେଶ୍ୱର ଟୁଡୁଙ୍କୁ ପ୍ରଚାର ଦାୟିତ୍ୱ ଦେଇଛି ବିଜେପି। ବିଜେଡି ଓ କଂଗ୍ରେସ୍ ମଧ୍ୟ ଆଦିବାସୀମାନଙ୍କ ପାଇଁ କଣ କରିଛନ୍ତି, ସେ ତଥ୍ୟ ଲୋକଙ୍କ ପାଖରେ ରଖୁଛନ୍ତି।

ତେଣୁ ଏହି ଭୋଟ୍ ଦଳୀୟ ପ୍ରାର୍ଥୀଙ୍କ ବିଜୟରେ ନିର୍ଣ୍ଣାୟକ ହେଉଥିବାରୁ ସବୁ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି ନିଜର ନିଜର ଗ୍ରାଉଣ୍ଡ ଓ୍ୱାର୍କ। ଏହି ନିର୍ବାଚନ ମଣ୍ଡଳୀରେ ଅଛନ୍ତି ସମୁଦାୟ ୨ ଲକ୍ଷ ୫୯ ହଜାରରୁ ଅଧିକ ଭୋଟର। ତା’ ଭିତରୁ ୮୦ ହଜାରରୁ ଅଧିକ ହେଉଛନ୍ତି ଆଦିବାସୀ। ୨୦୧୧ର ଜନଗଣନା ତଥ୍ୟ ଅନୁସାରେ ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ୍ ହେଉଛି ଆଦିବାସୀ ବହୁଳ। ପଦ୍ମପୁରରେ ୧୭ ହଜାର, ପାଇକମାଳରେ ୩୫ ହଜାର ଓ ଝାରବନ୍ଧ ବ୍ଲକରେ ୨୯ ହଜାର ଟ୍ରାଇବାଲ୍ ଭୋଟ୍ ରହିଛି।

ହେଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀ କିନ୍ତୁ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ଏହା ସତ୍ତ୍ୱେ ଆଦିବାସୀ ନେତା ଭାବେ ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହା ଏଠାରୁ ଲଢୁଥିଲେ। ଏବେ ତାଙ୍କ ଝିଅ ବର୍ଷା ସିଂ ବରିହା ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକାରେ ସାଂସଦ ରମେଶ ମାଝୀ, ପ୍ରଦୀପ ମଝୀ, ବିଧାୟକ ମନହୋର ରାନ୍ଧାରୀଙ୍କ ଭଳି ଅନେକ ଆଦିବାସୀ ନେତା ସ୍ଥାନ ପାଇଛନ୍ତି।

ସେପଟେ ବିଜେପି ମଧ୍ୟ ଖେଳିଛି ଟ୍ରାଇବାଲ୍ କାର୍ଡ। କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ୍ ଓରାମ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗରିଧର ଗମାଙ୍ଗ, ବିଜେପି ନେତା ରବି ନାୟକ, ବିଧାୟକ ମୋହନ ମାଝୀ, ଶଙ୍କର ଓରାମ, ନିତ୍ୟାନନ୍ଦ ଗଣ୍ଡ, କୁସୁମ ଟେଟେ ପ୍ରମୁଖ ଦଳର ଷ୍ଟାର କ୍ୟାମ୍ପେନର୍ ତାଲିକାରେ ଅଛନ୍ତି।

କଂଗ୍ରେସ ବି ପଛରେ ନାହିଁ। ସାଂସଦ ସପ୍ତଗିରିି ଉଲାକା, ସୁଶୀଳା ତିରିଆ, ବିଧାୟକ ଦାଶରଥୀ ଗମାଙ୍ଗ, ସି.ଏସ୍. ରାଜନ୍ ଏକ୍କା ଭଳି ଅନେକ ଆଦିବାସୀ ନେତା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି।

ସେପଟେ ନାମାଙ୍କନା ସରିବା ପରେ ପ୍ରଚାର ଅଭିଯାନ ଜୋର୍ ଧରିଲାଣି। ପଦ୍ମପୁର ବ୍ଳକ୍ ବରିହାପାଳିରେ ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ଗହଣରେ ଆଜି ପ୍ରଚାର କରିଛନ୍ତି ବର୍ଷା ସିଂ ବରିହା। ତେଣେ ଆଜି ଝାରବନ୍ଧ ବ୍ଲକ ଜଗଦଲପୁରରେ ପ୍ରଚାର କରିଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ପ୍ରଚାର ବେଳେ ତୁର୍ଲା ଗାଁରେ ଚାଲିଥିବା ସଙ୍କୀର୍ତ୍ତନରେ ଭାଗ ନେଇ ଗୀତ ଗାଇଥିଲେ ପ୍ରଦୀପ। ଅନ୍ୟପଟେ ପାଇକମାଳରେ କଂଗ୍ରେସ ପକ୍ଷରୁ ଦଳୀୟ ସମାବେଶ କରାଯାଇଥିଲା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନିର୍ବାଚନୀ ପ୍ରଚାର ରଣନୀତି ଓ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି।

ଧାମନଗର ପରେ ପଦ୍ମପୁରରେ ରୋଚକ ଲଢେଇ ହେବାକୁ ଯାଉଛି। ହେଲେ ଟ୍ରାଇବଲ୍ ଭୋଟ୍ କାହା ପାଖକୁ ଯିବ ତା’ ଉପରେ ରହିଛି ସମସ୍ତଙ୍କ ନଜର।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।