ଓଡ଼ିଶା ସରକାରୀ ଭାଷା ଓ ବିଦ୍ୟୁତ ଶୁଳ୍କ ଅଧିନିୟମ ସଂଶୋଧନ ବିଲ୍‌ ପାରିତ

assemblyଭୁବନେଶ୍ୱର: ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଲ-୨୦୧୬ ଓ ଓଡ଼ିଶା ବିଦ୍ୟୁତ ଶୁଳ୍କ ଅଧିନିୟମ ୧୯୬୧ ସଂଶୋଧନ ବିଲ୍‌ ଗତକାଲି ବିଧାନସଭାରେ ପାରିତ ହୋଇଛି।

ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଲ୍‌ ପାରିତ ହେବା ପରେ ଏଣିକି ସରକାରୀ ସ୍ତରରେ ସମସ୍ତ କାମ ଓଡ଼ିଆରେ ହେବ। ବିଲ୍‌କୁ ନେଇ ଗୃହରେ ଆଲୋଚନା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କିଛି ସଂଶୋଧନ କରିବାକୁ ପ୍ରସ୍ତାବ ରଖିଥିଲେ। ଏହାସହ ଭାଷା କମିଶନ ଗଠନ ଓ ଓଡ଼ିଆ ଭାଷା ସାଧାରଣ ଲୋକ ବୁଝିବା ନେଇ ବ୍ୟବସ୍ଥା କରିବାକୁ ମିଶ୍ର କହିଥିଲେ। ଏହାସହ ସେ ଭାଷା କାର୍ଯ୍ୟକାରୀକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା ମଧ୍ୟ କରିଥିଲେ। ସମ୍ବଲପୁରୀ ଭାଷା, ଓଡ଼ିଆ ଭାଷା କି ନୁହେଁ ସ୍ପଷ୍ଟ କରିବାକୁ ବିଜେପି ବିଧାୟକ କନକ ବର୍ଦ୍ଧନ ସିଂଦେଓ ଦାବି କରିଥିଲେ। ତେବେ ବିରୋଧୀ ଦଳଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗ୍ରହଣ କରି ନ ଥିଲେ।

ଓଡ଼ିଆ ଭାଷାକୁ କାର୍ଯ୍ୟକାରୀକୁ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି।

ସେହିପରି ଓଡ଼ିଶା ବିଦ୍ୟୁତ ଶୁଳ୍କ ଅଧିନିୟମ ୧୯୬୧ ସଂଶୋଧନ ବିଲ୍‌ ଗୃହରେ ଗୃହିତ ହୋଇଛି। ସଂଶୋଧିତ ବିଲ୍‌ ଅନୁଯାୟୀ ନିଜସ୍ୱ ଉତ୍ପାଦନ ଓ ବ୍ୟବହାର ପାଇଁ ବିଦ୍ୟୁତ୍‌ ଶୁଳ୍କ ସୀମାକୁ ୟୁନିଟ୍‌ ପିଛା ୪୦ ପଇସାରୁ ସର୍ବାଧିକ ୨ ଟଙ୍କାକୁ ଧାର୍ଯ୍ୟ କରାଯାଇଛି। ଅନ୍ୟ କ୍ଷେତ୍ରରେ ଶକ୍ତିଦେୟ ୧୫ ପ୍ରତିଶତ ଧାର୍ଯ୍ୟ କରାଯାଇଛି। ଏଣିକି ସାର୍ଟିଫିକେଟ୍‌ ମାମଲା ଜରିଆରେ ଖିଲାପି ଉପଭୋକ୍ତାଙ୍କ ଠାରୁ ବକେୟା ବିଦ୍ୟୁତ୍‌ ଶୁଳ୍କ ଆଦାୟ କରାଯାଇ ପାରିବ। ଯେ କୌଣସି ଖିଲାପକାରୀ ସଂସ୍ଥା, ବ୍ୟକ୍ତି ବିଶେଷଙ୍କ ଠାରୁ ବକେୟା ବିଦ୍ୟୁତ୍‌ ଶୁଳ୍କ ଆଦାୟ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।