ମରୁଡି ନେଇ ଜାନୁଆରୀ ୨୭ରେ କେନ୍ଦ୍ର ସରକାରଙ୍କ ନିକଟରେ ପକ୍ଷ ରଖିବ ଓଡ଼ିଶା

ଭୁବନେଶ୍ୱର: ମରୁଡି ପ୍ରଭାବିତ ଅଞ୍ଚଳରେ ଚାଷୀ ଓ ଚାଷ ପାଇଁ ଓଡ଼ିଶା ସରକାର କ’ଣ କରିଛନ୍ତି ? କେନ୍ଦ୍ର ସରକାରଙ୍କ ପାଖରେ ଏ ନେଇ ଜବାବ ରଖିବେ ରାଜ୍ୟ ସରକାର। ଏନେଇ ୨୭ରେ ନୂଆଦିଲ୍ଲୀରେ ବସୁଥିବା ବୈଠକରେ ୧୨ ମରୁଡି ପ୍ରଭାବିତ ରାଜ୍ୟ ସେମାନଙ୍କ ପକ୍ଷ ରଖିବେ। ଓଡ଼ିଶା ପକ୍ଷରୁ ଏହି ବୈଠକରେ ଯୋଗ ଦେବେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ ମହାପାତ୍ର। ଚଳିତବର୍ଷ ରାଜ୍ୟରେ ୨୮ ଜିଲ୍ଲାର ୨୩୫ଟି ବ୍ଲକ ମରୁଡିରେ ପ୍ରଭାବିତ ହୋଇଛି। ମରୁଡି ସହାୟତା ବାବଦକୁ କେନ୍ଦ୍ର ସରକାର ଦେଇଛନ୍ତି ୮୧୫ କୋଟି ଟଙ୍କା। ଏନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ, ଓଡ଼ିଶା ପକ୍ଷରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଓଡ଼ିଶା ସରକାର କି କି ପଦକ୍ଷେପ ନେଇଛନ୍ତି ସେ ନେଇ  ତଥ୍ୟ ଦେବାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୈଠକକୁ ଯାଉଛନ୍ତି। ସରକାରଙ୍କ ପକ୍ଷରୁ ଏସଆରସିଙ୍କୁ ଯେଉଁ ରିପୋର୍ଟ ଦିଆଯିବା କଥା ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟ ସରକାର ମରୁଡି ପାଇଁ ହଜାର ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୬୦ କୋଟି ଟଙ୍କାର ଇନପୁଟ ସବସିଡି ପ୍ରଦାନ କରିସାରିଛନ୍ତି। ନରେଗାରେ କାର୍ଯ୍ୟ ଦିବସକୁ ୨୦୦ ଦିନକୁ ବୃଦ୍ଧି କରିଛନ୍ତି। ଏସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଇବେ ରାଜ୍ୟ ସରକାର। ତା’ସହିତ କେନ୍ଦ୍ର ସହାୟତା ନେଇ ମଧ୍ୟ ଦୃଷ୍ଟି ଆକର୍ଷଣ କରିବେ।

ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଅକ୍ଟୋବର ମାସ ୧୪ ତାରିଖରୁ ସରକାର ମରୁଡି ପ୍ୟାକେଜ ଘୋଷଣା କରିଛନ୍ତି। ଏନେଇ ବିଭିନ୍ନ ପଦକ୍ଷେପ ନିଆଯାଇଛି। କେନ୍ଦ୍ରୀୟ ଟିମର ରିପୋର୍ଟର ଓଡ଼ିଶା ୮୧୫ କୋଟି ଟଙ୍କାର ଅନୁମୋଦନ ପାଇଛି। କିନ୍ତୁ ଅର୍ଥ ହସ୍ତଗତ ହୋଇନାହିଁ। ରାଜ୍ୟ ସରକାରଙ୍କ ପାଖରେ ଥିବା ଇନପୁଟ ସବସିଡ୍ ଅର୍ଥକୁ ଚାଷୀଙ୍କୁ ଦିଆଯାଇଛି। ମରୁଡି ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କ’ଣ କ’ଣ ପଦକ୍ଷେପ ନିଆଯାଇଛି ସେନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୈଠକରେ ମତ ରଖିବେ ବୋଲି ସେ କହିଛନ୍ତି।

ଦେଶରେ ବିଭିନ୍ନ ରାଜ୍ୟରେ ମରୁଡି ସ୍ଥିତି ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟାର ହୋଇଥିଲା। ସୁପ୍ରିମକୋର୍ଟ ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ କ’ଣ ପଦକ୍ଷେପ ନିଆଯାଇଛି। ସେନେଇ ଓଡ଼ିଶା ସମେତ ଅନ୍ୟ  ରାଜ୍ୟକୁ ରିପୋର୍ଟ ତଲବ କରିଥିଲେ। କେନ୍ଦ୍ରକୁ ଉତ୍ତର ମାଗି ଥିଲେ। ପୂର୍ବରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିସାରିଛନ୍ତି ରାଜ୍ୟସରକାର।