ଅକ୍ଟୋବରରେ ‘ଓଡ଼ିଶା ଟ୍ରାଭେଲ୍ ବଜାର’

ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜିତ ହେବ ଓଡ଼ିଶା ଟ୍ରାଭେଲ ବଜାର। ଏଥିରେ ସାମିଲ ହେବେ ରାଜ୍ୟ ତଥା ଦେଶ ବିଦେଶର ଟୁର୍ ଆଣ୍ଡ୍ ଟ୍ରାଭେଲ୍ ଅପରେଟର ଓ ହୋଟେଲ୍ ଓନର୍ସ ଆସୋସିଏସନର ସଦସ୍ୟ। ଚଳିତବର୍ଷ ଅକ୍ଟୋବର ମାସରେ ଭୁବନେଶ୍ୱରର ଜନତା ମୈଦାନରେ ଆୟୋଜିତ ହେବାକୁ ଥିବା ଏହି ଟ୍ରାଭେଲ୍ ବଜାରରେ ଓଡ଼ିଶାର ପର୍ଯ୍ୟଟନ ସଂପର୍କିତ ବିଭିନ୍ନ ଷ୍ଟଲ୍ ଖୋଲାଯିବ। ଏଥିରୁ ଓଡ଼ିଶା ପର୍ଯ୍ୟଟନ ସଂପର୍କରେ ଅନେକ ତଥ୍ୟ ମିଳିପାରିବ। ଏହା ସହ ବାହାର ରାଜ୍ୟ ତଥା ବିଦେଶରୁ ଆସିଥିବା ଅଂଶଗ୍ରହଣକାରୀଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାର ସୁଯୋଗ ମଧ୍ୟ ମିଳିବ। ସଚିବାଳୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଫିକି)କୁ ଏହାର ଆୟୋଜନ ଦାୟିତ୍ୱ ଦିଆଯାଇଛି।

ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱେଲ କହିଛନ୍ତି, ସାଧାରଣତଃ ଅକ୍ଟୋବର ମାସରୁ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଏ। ତେଣୁ ସେହି ସମୟରେ ଓଡ଼ିଶା ଟ୍ରାଭେଲ୍ ବଜାର ଆରମ୍ଭ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ପ୍ରଚାର ଓ ପ୍ରସାର କରିବା। ଓଡ଼ିଶାକୁ ବିଶ୍ୱ ସ୍ତରରେ ଏକ ଟୁରିଷ୍ଟ୍ ପଏଣ୍ଟ୍ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ହୋଟେଲ୍ ଆଣ୍ଡ୍ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ଜିତେନ୍ଦ୍ର ମହାନ୍ତି କହିଛନ୍ତି, ଏହି ଟ୍ରାଭେଲ ବଜାରକୁ ଅନେକ ବଡ଼ ବଡ଼ ବିଦେଶୀ ଟୁର୍ ଆଣ୍ଡ୍ ଟ୍ରାଭେଲ୍ ସଂସ୍ଥା ଆସିବେ। ସେମାନଙ୍କୁ ସରକାର ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ବୁଲାଇ ନେବାର ବ୍ୟବସ୍ଥା ରଖିଛନ୍ତି। ଏହା ଦ୍ୱାରା ସେମାନେ ବିଶ୍ୱର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ ଯେଉଁ ବ୍ରୋସର ତିଆରି କରନ୍ତି, ସେଥିରେ ଓଡ଼ିଶା ବି ଏକ ଡେଷ୍ଟିନେସନ୍ ଭାବେ ସ୍ଥାନ ପାଇବ। ସେମାନେ ଏହାର ମାର୍କଟେଂ ବିଶ୍ୱ ସ୍ତରରେ କରିବେ।

ଟ୍ରାଭେଲ୍ ବଜାର ଦ୍ୱାରା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିବ ବୋଲି ଆଶା କରାଯାଉଛି। ଏଥିରେ ଓଡ଼ିଶାର ବିଭିନ୍ନ ହସ୍ତଶିଳ୍ପ ଓ କାରୁକାର୍ଯ୍ୟ ସଂପର୍କରେ ସୂଚନା ମିଳିପାରିବ।