'ଫୋନି' ବାତ୍ୟା: ପେଟ୍ରୋଲିୟମ ଉତ୍ପାଦର ନିରନ୍ତର ଯୋଗାଣ ପାଇଁ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ମେ’ ୩ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳକୁ ଛୁଇଁ ଏହାର ପ୍ରଭାବ ଦେଖାଇବ ବୋଲି ଆଶଙ୍କା କରାଯାଉଛି। ଏହି ସାମୁଦ୍ରିକ ଝଡ଼ ସମସ୍ତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ସମେତ ଏହାର ଆଖପାଖ ଜିଲା ଯେପରିକି ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଏବଂ ଢେଙ୍କାନାଳ ଆଦି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଝଡ଼ତୋଫାନ ହେବାର […]

yyyyy

yyyyy

Hemant Lenka
  • Published: Tuesday, 30 April 2019
  • Updated: 30 April 2019, 08:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ମେ’ ୩ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳକୁ ଛୁଇଁ ଏହାର ପ୍ରଭାବ ଦେଖାଇବ ବୋଲି ଆଶଙ୍କା କରାଯାଉଛି। ଏହି ସାମୁଦ୍ରିକ ଝଡ଼ ସମସ୍ତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ସମେତ ଏହାର ଆଖପାଖ ଜିଲା ଯେପରିକି ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଏବଂ ଢେଙ୍କାନାଳ ଆଦି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ଏହା ଓଡ଼ିଶାର ବହୁ ଅଞ୍ଚଳରେ ବନ୍ୟା ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଛି।

ଏହି ପରିସ୍ଥିତିର ମୁକାବିଲା କରିବା ସହ ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା କରିବା ନିମନ୍ତେ ଆଜି ଇଣ୍ଡିଆନ୍ ଅଏଲର ମହାପ୍ରବନ୍ଧକ ତଥା ରାଜ୍ୟସ୍ତରୀୟ ସଂଯୋଜକ ଶୁଭଜିତ୍ ଘୋଷଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଇଣ୍ଡିଆନ ଅଏଲ ଭବନଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ତୈଳ ବିପଣନ କମ୍ପାନୀ (ଆଇଓସିଏଲ୍, ବିପିସିଏଲ୍ ଏବଂ ଏଚ୍ପିସିଏଲ୍) ଓ ଗେଲର ବରିଷ୍ଠ କର୍ମକର୍ତ୍ତା ଏହି ବୈଠକରେ ଯୋଗଦେଇ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକରେ ଅତ୍ୟାବଶ୍ୟକ ପେଟ୍ରୋଲିୟମ ଉତ୍ପାଦ ଯେପରିକି ଏଲ୍ପିଜି, କିରୋସିନ, ଡିଜେଲ, ପେଟ୍ରୋଲ ଏବଂ ସିଏନଜି ଆଦିର ନିରନ୍ତର ଯୋଗାଣ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରସ୍ତୁତି ଏବଂ ସମସ୍ତ ତୈଳ ବିପଣନ କମ୍ପାନୀ ଓ ଗେଲର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ବା ସିଏସ୍ଆର୍ ଅଧୀନରେ ରିଲିଫର ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ପ୍ରଭାବିତ ହେବାକୁ ଥିବା ସମସ୍ତ ଅଞ୍ଚଳରେ ଅବସ୍ଥାପିତ ଅତ୍ୟାବଶ୍ୟକ ତୈଳ ଯୋଗାଣ ଲାଇନଗୁଡ଼ିକୁ ସମ୍ପୃକ୍ତ ଅଧିକାରୀ ନିରୀକ୍ଷଣ କରି ଏଗୁଡ଼ିକର ଉପଯୁକ୍ତ ସ୍ଥିତି ନିର୍ଦ୍ଧାରଣ କରିବେ। ସମସ୍ତ ତୈଳ ଉଦ୍ୟୋଗର କର୍ମକର୍ତ୍ତା ସତର୍କ ରହିବା ସହ ଏହି ଅତ୍ୟାବଶ୍ୟକ ତୈଳ ଉତ୍ପାଦ ଗୁଡ଼ିକର ଉପଲବ୍ଧତାକୁ ବଜାୟ ରଖିବା ଓ ଏହାର ସ୍ଥିତିକୁ ସୁନିଶ୍ଚିତ କରିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ଯେପରିକି ରାଜ୍ୟର କୌଣସି ଲୋକ ଏହାର ଅଭାବକୁ ଅନୁଭବ କରିବେ ନାହିଁ।

ରାଜ୍ୟରେ ହେବାକୁ ଥିବା ଝଡ଼ବାତ୍ୟା ନିମନ୍ତେ ରିଲିଫ୍ ସାମଗ୍ରୀ ଆୟୋଜନ କରିବା ନିମନ୍ତେ ଆଇଓସିଏଲ୍, ବିପିସିଏଲ୍, ଏଚପିସିଏଲ ଏବଂ ଗେଲର ଅଧିକାରୀମାନଙ୍କୁ ନିୟୋଜନ କରାଯାଇଛି।

ବିଭିନ୍ନ ଜିଲାରେ ଏହି ସମସ୍ତ ବ୍ୟବସ୍ଥାକୁ ସୁଚାରୂରୁପେ ସମ୍ପାଦନ କରିବା ସହ ଯୋଗାଣ ବ୍ୟବସ୍ଥାର ୨୪ ଘଣ୍ଟିଆ ନିରୀକ୍ଷଣ, ତଥା ପେଟ୍ରୋଲିୟମ ଉତ୍ପାଦ କେନ୍ଦ୍ରଠାରେ କୌଣସି ଅଘଟଣ/ବିପର୍ଯ୍ୟୟ ସମ୍ପର୍କରେ ସୂଚନା ପାଇବା ନିମନ୍ତେ ଇଣ୍ଡିଆନ ଅଏଲ ଭବନଠାରେ କେତେକ ପ୍ରତିନିଧିମାନଙ୍କୁ ନେଇ ଆସନ୍ତା ୨ ତାରିଖରୁ ବାତ୍ୟା ପରିସ୍ଥିତି ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏକ ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ ସେଲ୍ ଗଠନ କରାଯିବ। ଏହି ନିୟନ୍ତ୍ରଣ କକ୍ଷ ବିଭିନ୍ନ ତୈଳ ବିପଣନ କମ୍ପାନୀ ମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ବିଭିନ୍ନ ଜିଲ୍ଳା ତଥା ବାତ୍ୟା ପ୍ରଭାବିତ ଅଞ୍ଚଳମାନଙ୍କରୁ ସୂଚନା ସଂଗ୍ରହ କରି ଏହି କମ୍ପାନୀମାନେ ରିଲିଫ୍ ସାମଗ୍ରୀ ବଣ୍ଟନ କରିବାର ବ୍ୟବସ୍ଥା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos