କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ବୃଦ୍ଧଙ୍କ ମୃତ୍ୟୁ

ପାଟଣାଗଡ଼ (ବଶୀଂଧର ସେଠ୍): କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଖୁଣ୍ଟସମଲାଇ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ। ମୃତକଙ୍କ ନାଁ ଟିକେମଣି ତଅଲ। ତାଙ୍କୁ ୭୦ ବର୍ଷ ହୋଇଥିଲା।

ଟିକେମଣି ଛତିଶଗଡ଼ରେ ତାଙ୍କ ପୁଅ ପାଖରେ ରହୁଥିଲେ। ଗତ ୧୭ ତାରିଖରେ ନିଜ ଗାଁକୁ ଫେରିବା ପରେ ତାଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ତାଙ୍କ ଶରୀର ଅସୁସ୍ଥ ଥିଲା। କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ୨୦ ତାରିଖରେ ଟିକେମଣି ଅଧିକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆଜି ସକାଳେ ମୃତଦେହ ଗାଁରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଟିକେମଣିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବୁର୍ଲା ସ୍ଥାନାନ୍ତର ବେଳେ ପରିବାର ଲୋକଙ୍କୁ ଜଣାଯାଇ ନଥିବା ମଧ୍ୟ ଅଭିଯୋଗ ହୋଇଛି।

ପାଟଣାଗଡ଼ ଏସଡିଏମଓ ଓ ଉପଖଣ୍ଡ ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାବୁଝି କରିଥିଲେ। ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଟିକେମଣିଙ୍କ ପରିବାର ଲୋକଙ୍କୁ ଦେବା ପରେ ଉତ୍ତେଜନା ଥମିଥିଲା।

ସୂଚନାଯୋଗ୍ୟ, ଟିକେମଣିଙ୍କର ସେପ୍ଟିସେମିଆ ରୋଗରେ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।