ଗୋଟିଏ ପରିବାରକୁ ୬ ପରିବାରର ସଦସ୍ୟ କଲେ ଆକ୍ରମଣ: ଜଣେ ମୃତ, ଦୁଇ ଗୁରୁତର

ଆଳି (ବନମାଳୀ ସାହୁ): ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଦେସାହିଗାଁରେ ଘଟିଛି ଏହି ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତ ଗୋଟିଏ ପରିବାରର ସଦସ୍ୟ। ମୃତକଙ୍କ ନାଁ ବିପିନ ମଳିକ।

ଅଭିଯୋଗ ଅନୁଯାୟୀ, ଆଜି ଏହି ଗାଁର ୭ଟି ପରିବାରର ସଦସ୍ୟମାନେ ଜମିବାଡ଼ି ବିବାଦର ସମାଧାନ ପାଇଁ ଆଳି ଥାନାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ନାରାୟଣ ମଳିକଙ୍କ ପରିବାରର ସଦସ୍ୟ ବି ଥିଲେ। ଅମିନ ଆଣି ମାପଚୁପ କରିବା ପାଇଁ ନିଷ୍ପତ୍ତି ହେବା ପରେ ଅପରାହ୍ଣରେ ସମସ୍ତେ ଗାଁକୁ ଫେରି ଯାଇଥିଲେ। ହେଲେ ଗାଁରେ ପହଞ୍ଚିବା ପରେ ନାରାୟଣ ମଳିକଙ୍କ ପରିବାର ସହିତ ଅନ୍ୟ ପରିବାର ଗୁଡ଼ିକର ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ଅନ୍ୟ ୬ଟି ପରିବାରର ସଦସ୍ୟମାନେ ମାରଣାସ୍ତ୍ରରେ ନାରାୟଣ ମଳିକ ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଆକ୍ରମଣରେ ନାରାୟଣ ମଳିକଙ୍କ ସାନ ଭାଇ ବିପିନ ମଳିକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ବିପିନ ମଳିକଙ୍କ ପୁତୁରା ବୋହୂ ନମିତା ମଳିକ ଆଳି ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ଏହି ହତ୍ୟାକାଣ୍ଡ ଦେସାହି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଓ ସମିତି ସଭ୍ୟଙ୍କ ନିର୍ଦ୍ଦେଶରେ ହୋଇଛି। ସେମାନଙ୍କ ନିର୍ଦ୍ଦେଶରେ ୨୦ ଜଣ ମିଶି ବିପିନଙ୍କୁ ପିଟି ପିଟି ମାରି ଦେଲେ। ଅଭିଯୋଗ ପାଇବା ପରେ ଆଳି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।