ବାଇକରେ ଆସୁଥିବା ବେଳେ ଉପରୁ ଖସିଲା ମୃତ୍ୟୁ

ଚାନ୍ଦବାଲି (ବାସୁଦେବ ଦାସ): ଆଜି ସକାଳେ କାମ କରିବା ପାଇଁ ବାଇକ୍‌ରେ ଯାଉଥିଲେ। ମାତ୍ର ଜାଣି ନଥିଲେ ରାସ୍ତାରେ ଜଗି ରହିଥିଲା ମୃତ୍ୟୁ। ହଠାତ୍‌ ଉପରେ ଛିଡ଼ି ପଡ଼ିଲା ୧୧ କେଭି ବିଦ୍ୟୁତ ତାର। ଚାଲିଗଲା ଶାନ୍ତନୁ ପାତ୍ରଙ୍କ ଜୀବନ। ଏପରି ଦୁର୍ଘଟଣା ଭଦ୍ରକ-ଚାନ୍ଦବାଲି ରାସ୍ତାର ପାଣିକୋଇଲି ଛକରେ ଘଟିଛି।

ଏମିତି ଥିଲା ମୃତ୍ୟୁ

ପଞ୍ଚୁଟିକିରି ଗାଁର ଶାନ୍ତନୁ ପେଷାରେ ଜଣେ କାଠ ମିସ୍ତ୍ରୀ। ସେଥିରେ ଚାଲେ ତାଙ୍କର ତେଲ ଲୁଣର ସାଂସାର। ଆଜି ସକାଳେ ସାନ୍ତନୁ ଓ ତାଙ୍କ ସାଥୀ ବାଇକ୍‌ରେ ଯାଉଥିଲେ। ପାଣିକୋଇଲି ଛକ ଅତିକ୍ରମ କରୁଥିବା ବେଳେ ବିଦ୍ୟୁତ ତାର ଛିଡ଼ି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବାଇକ୍‌ ପଛରେ ବସିଥିବା ଯୁବକ ଜଣକ ଛିଟିକି କିଛି ଦୂରରେ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ନିମ୍ନମାର ବିଦ୍ୟୁତ ତାର ସଂଯୋଗ ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଛନ୍ତି। ଖବର ପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ମାତ୍ର ଆନ୍ଦୋଳନକାରୀମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ରାସ୍ତାରୋକ ହଟିନଥିବା ଜଣାପଡ଼ିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More