ତାତିଲେ ପଶ୍ଚିମ ଓଡ଼ିଶାବାସୀ, ଜଳ ସତ୍ୟାଗ୍ରହ ବେଳେ ଜଣେ ଗୁରୁତର

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରରୁ ନୃସିଂହନାଥକୁ ପ୍ରସ୍ତାବିତ ରୋପୱେ ଯୋଜନା ଅଧାରେ ଅଟକି ରହିଛି। ରାଜ୍ୟ ସରକାର ଏହାକୁ ବନ୍ଦ କରି ଦେଇଥିବା ଖବର ପ୍ରଚାରିତ ହେବା ପରେ ତାତିଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଏହା ପ୍ରତିବାଦରେ କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚା ଦ୍ୱାରା ହରିଶଂକରଠାରେ ଗତକାଲିଠାରୁ ଜଳ ସତ୍ୟାଗ୍ରହ କରାଯାଉଛି । ଏହି ଆନ୍ଦୋଳନରେ ୫ ଜଣ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି।

ପଶ୍ଚିମ ଓଡିଶାରେ ପର୍ଯ୍ୟଟନସ୍ଥଳୀକୁ ଅବହେଲା ପ୍ରତିବାଦରେ ସାରା ପଶ୍ଚିମ ଓଡିଶାରେ ଲୋକଙ୍କ ଅସନ୍ତୋଷ ବଢିଚାଲିଛି । ଠିକ ଏପରି ଏକ ସମୟରେ ବଲାଙ୍ଗିର ଜିଲ୍ଲା ହରିଶଂକରରୁ ନୃସିଂହନାଥକୁ ପ୍ରସ୍ତାବିତ ରୋପୱେ ଯୋଜନାକୁ ରାଜ୍ୟ ସରକାର ବନ୍ଦ କରିଦେଇଥିବା ଜଣାପଡିବା ପରେ, ସାରା ବଲାଙ୍ଗିର ଜିଲ୍ଲାରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ କୋସଳ ରାଜ୍ୟ ମୁକ୍ତିମୋର୍ଚ୍ଚା ଦ୍ୱାରା ହରିଶଂକରଠାରେ ଗତକାଲି ଠାରୁ ଜଳ ସତ୍ୟାଗ୍ରହ କରାଯାଉଛି ।

ହରିଶଙ୍କରରୁ ନୃସିଂହନାଥକୁ ପ୍ରସ୍ତାବିତ ରୋପୱେ ଯୋଜନା କାମକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବାରୁ ଗତକାଲିଠୁ ୫ ଜଣ ଜଳ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି। ପାଣିରେ ବହୁ ସମୟ ରହିବାରୁ ଆଲୋକ ବୁଡେକ ନାମକ ଜଣେ ଆନ୍ଦୋଳନକାରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ତାଙ୍କୁ ଖପ୍ରାଖୋଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଆଉ ଚାରିଜଣ ସତ୍ୟାଗ୍ରହୀ ଆନ୍ଦୋଳନ ଜାରୀ ରଖିଛନ୍ତି ।

ସେପଟେ ଆଜି ସ୍ଥାନୀୟ ବଣିକ ସଂଘ,ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ହରିଶଙ୍କର ବନ୍ଦ ଡାକରା ଦିଆକଯାଇଛି । ଯାହା ଫଳରେ ଆଜି ହରିଶଙ୍କରଠାରେ ଦୋକାନ ବଜାର ବନ୍ଦ ରହିଛି । ଏପରିକି ହରିଶଙ୍କର ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ କରାଯାଇଛି । ଜିଲ୍ଲା ଓ ପୁଲିସ ପ୍ରଶାସନର ଅଧିକାରୀ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା ଜାରୀ ରଖିଥିବା ବେଳେ ଏହି ଘଟଣାର କୌଣସି ସମାଧାନ ହୋଇପାରିନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।