ଜଣେ ମହିଳା ପୂରା ଗାଁକୁ କରିଦେଲେ ଦାଦନ ମୁକ୍ତ

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଦିନେ ରୋଜଗାର ଆଶାରେ ଗାଁର ମହିଳାମାନେ ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ। ହେଲେ ଏବେ ନିଜ ଗାଁରେ ଏକ ଛାତ ଛାଇ ତଳେ ବସି ହଜାର ହଜାର ଟଙ୍କା କାନିରେ ବାନ୍ଧି ନେଇ ଘରକୁ ଯାଉଛନ୍ତି। କିଏ ତାଙ୍କ ସ୍ୱାମୀକୁ ଏହି ଟଙ୍କାରେ ନୂଆ ବାଇକ୍ କିଣି ଭେଟି ଦେଇଛି ତ, କିଏ ନୂଆ ଘର ତିଆରି କରିଛି। ଦିନକୁ ଦୁଇବେଳା ଠିକ୍ ଭାବେ ଖାଇବାକୁ ପାଉ ନ ଥିବା ପରିବାର, ଏବେ ପେଟ ପୂରା ଖାଉଛନ୍ତି। ନୂଆପଡା ଜିଲ୍ଲା ବୁଏରଭାଡି ଗାଁରୁ ଆସିଛି ଏଭଳି ଚିତ୍ର। ଗାଁର ୨ ଶହ ପରିବାର ଏବେ ସ୍ୱାବଳମ୍ୱୀ। ଗୋଟିଏ ଦୀପରୁ ଅନେକ ଦୀପ ପ୍ରଜ୍ୱଳିତ ହୋଇ ଅନ୍ଧକାର ହଟାଇବା ଭଳି ଏହି ଗାଁର ଭୂମିକା ସାହୁ ମିଳିଥିବା ସୁଯୋଗର ସଦୁପଯୋଗ କରି ସମସ୍ତଙ୍କୁ ରୋଜଗାର ବାଟ ଦେଖାଇ ଦେଇଛନ୍ତି। ଫଳରେ ଏହି ଗାଁ ଆଜି ଦାଦନ ମୁକ୍ତ ଗାଁରେ ପରିଣତ ହୋଇପାରିଛି।

ଭୂମିକା କହିଛନ୍ତି, ଦିନେ ଟଙ୍କାଟିଏ ବି ତାଙ୍କ ରୋଜଗାର ନ ଥିଲା। ବାହା ହେବା ପରେ ଶାଶୁ ଘରେ ବଡ଼ କଷ୍ଟରେ ଚଳିବାକୁ ପଡ଼ୁଥିଲା। ତାଙ୍କ ସ୍ୱାମୀଙ୍କର ମଧ୍ୟ ବିଶେଷ ରୋଜଗାର ନ ଥିଲା। ଠିକ୍ ଏହି ସମୟରେ ଦୁଇ ପଇସା ରୋଜଗାର କରି ସ୍ୱାବଲମ୍ବୀ ହେବା ପାଇଁ ଗାଁର ମହିଳାମାନଙ୍କୁ ନେଇ ଏସ୍‌ଏଚ୍‌ଜି ଗଠନ ନିମନ୍ତେ ତାଙ୍କ ମନରେ ଇଚ୍ଛା ହୋଇଥିଲା। ତେଣୁ ସେ ଗାଁର ମହିଳାମାନଙ୍କୁ ନେଇ ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରିଥିଲେ। ହେଲେ ଶାଶୁ ଘର ଲୋକେ ଏହାକୁ ବିରୋଧ କରିଥିଲେ। ପରିବାର କିମ୍ବା ଏସ୍‌ଏଚ୍‌ଜି ମଧ୍ୟରୁ ଗୋଟିଏ ବାଛିବାକୁ ଚେତାବନୀ ଦେଇଥିଲେ। ହେଲେ ସେ କାହାରିକୁ ବି ଛାଡ଼ି ପାରିବେନି ବୋଲି ସ୍ପଷ୍ଟ କହିଦେଇଥିଲେ। ପାରିବାରିକ ଅନିଚ୍ଛା ଭିତରେ ସଂଘର୍ଷ କରି ଏସ୍‌ଏଚ୍‌ଜିରେ କାମ କରିବାରେ କଷ୍ଟ ହୋଇଥିଲା। ହେଲେ ଧିରେ ଧିରେ ତାଙ୍କ ରୋଜଗାର ବଢ଼ିବା ସହ ପରିବାର ଲୋକଙ୍କୁ ସହାୟତା କରିଥିଲେ। ଏବେ ସେ ନିଜ ରୋଜଗାରରେ ସ୍ୱାମୀଙ୍କୁ ଏକ ବାଇକ୍ କିଣି ଭେଟି ଦେଇଛନ୍ତି। ଏହି ବାଇକ୍‌ରେ ବସି ସେ ମଧ୍ୟ କାମ କରିବାକୁ ଆସନ୍ତି। ଗାଁରେ ଏକ ଛତୁଆ ପ୍ରସ୍ତୁତି କେନ୍ଦ୍ର କରାଯାଇଛି। ଏସ୍‌ଏଚ୍‌ଜିର ସମସ୍ତ ମହିଳା ମିଶି ଛତୁଆ ପସ୍ତୁତ କରନ୍ତି। ଏଥିରୁ ପ୍ରତି ମହିଳାମାନଙ୍କୁ ମାସିକ ୫ରୁ ୧୦ ହଜାର ଟଙ୍କା ରୋଜଗାର ମିଳୁଛି। ସମସ୍ତଙ୍କ ଘର ବେଶ ଭଲରେ ଚାଲୁଛି।

୨୦୦୮ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୧୪ ବର୍ଷ ମଧ୍ୟରେ ଭିତରେ ସେ ଆଜି ଗାଁରେ ୨୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି। ସବୁ ଗୋଷ୍ଠୀଗୁଡ଼ିକ ବେଶ ଭଲରେ ଚାଲୁଛି।

ବୁଏରଭାଡି ଗାଁର କୌଶଳ୍ୟା ମାଝି କହିଛନ୍ତି, ଏକଦା ପରିବାର ଚଳାଇବା ପାଇଁ ସେ ସ୍ୱାମୀ ଓ ପିଲାମାନଙ୍କୁ ଧରି ହାଇଦ୍ରାବାଦରେ ଥିବା ଇଟା ଭାଟିକୁ ଦାଦନ ଖଟିବାକୁ ଯାଉଥିଲେ। ହେଲେ ଆଜି ମାସିକ ୫ରୁ ୭ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି। ଛତୁଆ ୟୁନିଟ୍‌ରେ ସେମାନେ ଛତୁଆ ବ୍ୟତୀତ ଲଡ଼ୁ, କାକେରା ପ୍ରଭୃତି ପ୍ରସ୍ତୁତ କରିଥାନ୍ତି। ଏଥିରୁ ମିଳୁଥିବା ରୋଜଗାରରେ ଆରାମରେ ପରିବାର ଚଳି ଯାଇପାରୁଛି। ଏବେ ଆଉ ବାହାର ରାଜ୍ୟକୁ କାମ କରିବାକୁ ଯିବାକୁ ପଡ଼ୁନି।

୭୫ ବର୍ଷିୟ ତାରାବତୀ କହିଛନ୍ତି, ଏଠାରେ କାମ କରି ସେ ବହୁତ ଖୁସି। ମିଳୁଥିବା ରୋଜଗାରରେ ପରିବାର ଚଳାଇ ପାରୁଛନ୍ତି। ବିଶେଷ କାମ କରିପାରୁ ନ ଥିଲେ ହେଁ ମାସିକ ପ୍ରାୟ ୬ ହଜାର ଟଙ୍କା ରୋଜଗାର ମିଳୁଛି। ଏଥିରେ ଘର ଖର୍ଚ୍ଚ ସହ ପିଲାମାନଙ୍କ ନିମନ୍ତେ ଲୁଗା, ପଟା ହୋଇପାରୁଛି।

ଏନେଇ ଓଡିଶା ଜୀବିକା ମିସନର ନୂଆପଡା ଜିଲ୍ଲା ପୋଗ୍ରାମ ମ୍ୟାନେଜର ଟିମନ ବାରା କହିଛନ୍ତି, ଓମ୍ ଶାନ୍ତି ଏସ୍‌ଏଚ୍‌ଜି କରିଥିବା ଭୂମିକାଙ୍କ ଉଦ୍ୟମରେ ଆଜି ଅନେକ ପରିବାରକୁ ରୋଜଗାର ମିଳିପାରିଛି। ଏଠାରେ ମହିଳାମାନେ ସହାୟତା ନେଇ ଛତୁଆ ୟୁନିଟ୍ ସହ ନର୍ସରୀ, ମାଛ ଚାଷ, ମିଶନ ଶକ୍ତି କାଫେ ପ୍ରଭୃତି କରି ରୋଜଗାରକ୍ଷମ ହୋଇପାରିଛନ୍ତି। ଭୂମିକା ଏକ ସ୍ୱତନ୍ତ୍ର ଭୂମିକା ନେଇ ବିଭିନ୍ନ ଏସ୍‌ଏଚ୍‌ଜିଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇଛନ୍ତି। ଏହାଛଡ଼ା ଅଞ୍ଚଳରେ ଦାଦନ ଶ୍ରମିକ ରୋକିବାରେ ତାଙ୍କର ପ୍ରୟାଶ ସଫଳ ହୋଇଛି। ତାଙ୍କୁ ନୂଆପଡ଼ା ଓଡିଶା ଜୀବିକା ମିସନ‌୍‍ ତରଫରୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବାକୁ ସବୁ ପ୍ରକାର ଚେଷ୍ଟା କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।