ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ୩ବର୍ଷରେ ମାତ୍ର ୯୭ହଜାର ରୋଗୀଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସର୍ବୋତ୍କୃଷ୍ଟ ବୋଲି କହି କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରୁନଥିବା ରାଜ୍ୟ ସରକାର ଗତ ୩ବର୍ଷରେ ମାତ୍ର ୯୭୪୦୦ଜଣ ରୋଗୀଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇଛନ୍ତି।
ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜର ମହତ୍ୱାକାଂକ୍ଷୀ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’କୁ ୨୦୧୮ ଅଗଷ୍ଟ ୧୫ତାରିଖରୁ କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ଏହି ଯୋଜନାରେ ରୋଗୀଙ୍କୁ ଘରୋଇ ହସ୍ପିଟାଲରେ ଆଶାନୁରୂପ ଚିକିତ୍ସା ସୁବିଧା ମିଳିପାରୁନି। ଆୟୁଷ୍ମାନ ଭାରତ ଯୋଜନାରେ ଘରୋଇ ହସ୍ପିଟାଲରେ ପ୍ରାୟ ୬୮ପ୍ରତିଶତ ରୋଗୀ ଚିକିତ୍ସିତ ହେଉଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମାତ୍ର ୧.୫ପ୍ରତିଶତ ରୋଗୀଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିଛି।

ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ ୨୦୧୮ ଅଗଷ୍ଟ ୧୫ତାରିଖରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଲା। ଆଜିସୁଦ୍ଧା ସମଗ୍ର ରାଜ୍ୟରେ ମୋଟ ୭କୋଟି ୯୮ଲକ୍ଷ ୪ହଜାର ୬୯ଥର ପୁରୁଷ ଓ ୭କୋଟି ୭ଲକ୍ଷ ୬୩ହଜାର ୭୦୩ଥର ମହିଳା ହିତାଧିକାରୀ ଏହି ଯୋଜନା ମାଧ୍ୟମରେ ଉପକୃତ ହୋଇଛନ୍ତି। ଏଥିରେ ଘରୋଇ ହସ୍ପିଟାଲରେ ଚିକିତ୍ସା ହୋଇଥିବା ପୁରୁଷ ହିତାଧିକାରୀଙ୍କ ସଂଖ୍ୟା ୩ବର୍ଷ ମଧ୍ୟରେ ମାତ୍ର ୫୨୮୧୦ଜଣ ଥିବାବେଳେ ମହିଳା ହିତାଧିକାରୀଙ୍କ ସଂଖ୍ୟା ୪୪୫୯୦ଜଣ। ସେହିପରି ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ମାତ୍ର ୯୧୬୯ଜଣ ପୁରୁଷ ଓ ୪୪୩୯ଜଣ ମହିଳା ଉପକୃତ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆୟୁଷ୍ମାନ ଭାରତ ଯୋଜନାରେ ୨୦୨୧ ଜାନୁୟାରୀ ୪ତାରିଖ ସୁଦ୍ଧା ମୋଟ ୧କୋଟି ୫୦ ଲକ୍ଷ ୬୬ହଜାର ୪୩୬ଜଣଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ଏଥିପାଇଁ ୧୭ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଯୋଜନାରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପଞ୍ଜିକୃତ ହୋଇଛନ୍ତି।
ଏହି ଯୋଜନାରେ ଘରୋଇ ହସ୍ପିଟାଲରେ ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଥିଲେ ମଧ୍ୟ ଓଡ଼ିଶା ସରକାର ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରାଉନଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।