ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ଦ୍ୱିତୀୟ ଲହର କୋପ କମୁଥିବା ବେଳେ ହଜାରେ ତଳେ ରହୁଛି ସଂକ୍ରମିତଙ୍କ ସଂଖ୍ୟା। ହେଲେ ସମ୍ଭାବ୍ୟ ତୃତୀୟ ଲହରରେ ପିଲାମାନେ ଅଧିକ ଆକ୍ରାନ୍ତ ହେବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଉଥିବା ବେଳେ ଭୟଭୀତ ହୋଇ ପଡ଼ିଛନ୍ତି ଅଭିଭାବକ । ତେବେ ଶିଶୁଙ୍କ ସଂକ୍ରମଣଙ୍କୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ପ୍ରଥମ ଓ ଦ୍ୱିତୀୟ ଲହରରେ ୦ରୁ ୧୦ ବର୍ଷ ବୟସର ୩.୫ ପ୍ରତିଶତ ପିଲା ସଂକ୍ରମିତ ହେଉଥିଲେ । ୧୦ରୁ ୧୮ ବର୍ଷର ୮ରୁ ୮.୫ ପ୍ରତିଶତ ପିଲା ପଜିଟିଭ ହେଉଥିଲେ । ଦ୍ୱିତୀୟ ଲହରରେ ଡେଲ୍ଟାର ପ୍ରାଦୁର୍ଭାବ ସତ୍ତ୍ୱେ ପିଲାଙ୍କ ସଂକ୍ରମଣ ହାର ୧୨ ପ୍ରତିଶତ ପାଖାପାଖି ଥିଲା । ପିଲାମାନେ ପ୍ରାୟତଃ ଗୁରୁତର ହୁଅନ୍ତି ନାହିଁ । ତେଣୁ ଡାକ୍ତରଖାନା ଯିବା ପିଲାଙ୍କ ସଂଖ୍ୟା ବହୁତ କମ୍ । ଆଇସିୟୁ ଯିବା ପିଲାଙ୍କ ସଂଖ୍ୟା ଢେର କମ୍।
ଆକଳନ ଅନୁସାରେ ଯେତିକି ପିଲା ସଂକ୍ରମିତ ହେବେ, ସେଥିରୁ ୫ରୁ ୬ପ୍ରତିଶତ ଡାକ୍ତରଖାନା ଯିବେ ବୋଲି କେନ୍ଦ୍ର ସରକାରଙ୍କ ଆକଳନ କହୁଛି । ତେଣୁ ବର୍ତ୍ତମାନଠୁ ଆତଙ୍କିତ ହେବାର କିଛି ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଯେହେତୁ ତୃତୀୟ ଲହରରେ ପିଲା ଆକ୍ରାନ୍ତ ସଂଖ୍ୟା ବଢିବ ବୋଲି ଆକଳନ କରାଯାଇଛି, ତେଣୁ ରାଜ୍ୟ ସରକାର ପିଲାଙ୍କ ସଂକ୍ରମଣର ମ୍ୟାପିଂ କରୁଛନ୍ତି । ୧୮ ବର୍ଷ ତଳକୁ ଟିକା ଦିଆ ଯାଉ ନଥିବାରୁ ସେଥିଲାଗି ପ୍ରସ୍ତୁତି କରାଯାଉଛି। ତେବେ ପିଲାଙ୍କ ସଂକ୍ରମଣ ରୋକିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏବେ ଆମର ଶିଶୁ ସଂକ୍ରମଣ ଜାତୀୟ ହାର ଭିତରେ ରହିଛି ବୋଲି ସେ ସୂଚନା ଦେଇଛନ୍ତି ।
ଏହାବାଦ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ଶିଶୁଙ୍କ ସଂକ୍ରମଣ ରୋକିବାକୁ ଅଭିଭାବକ ଓ ଶିକ୍ଷକଙ୍କୁ ସତର୍କ ରହିବାକୁ ପଡ଼ିବ। ଅଭିଭାବକ, ପାଖ ପଡ଼ୋଶୀ, ଶିକ୍ଷକ ଯତ୍ନଶୀଳ ହେଲେ ଶିଶୁମାନେ ସୁରକ୍ଷିତ ରହିପାରିବେ। ସେରୋ ସର୍ଭେ ରିପୋର୍ଟ କହୁଛି, ପିଲାମାନେ ସଂକ୍ରମିତ ହେଉଛନ୍ତି । ହେଲେ ଶିଶୁମାନଙ୍କଠାରେ ସିଭିଅରିଟି କମ୍ ରହୁଛି । ଶିଶୁଙ୍କ ସଂକ୍ରମଣ ଆଶା କମ୍ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଲକ୍ଷଣହୀନ । କିନ୍ତୁ ଶୂନ ନୁହେଁ ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ ରହିଛି। ରାଜ୍ୟରେ ୨ ଦିନ ହେଲା କରୋନା ସଂକ୍ରମଣ ହଜାରେ ତଳେ ଥିଲେ ବି ଏବେ ଶିଶୁଙ୍କୁ ସଂକ୍ରମଣ ଚିନ୍ତା ବଢାଇଛି । ଆଜି ପୁଣି ଶହେ ପାର କରିଛି ଶୂନରୁ ୧୮ ବର୍ଷ ବୟସ୍କ ସଂକ୍ରମିତଙ୍କ ସଂଖ୍ୟା। ଆଜି ୧୩୮ ଜଣ ଏହି ବର୍ଗରେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହାଛଡ଼ା ୨୪ ଘଣ୍ଟାରେ ରାଜ୍ୟରେ ୯୯୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯ ପଜିଟିଭ ବାହାରିଥିବା ବେଳେ କଟକରୁ ୯୫ ଚିହ୍ନଟ ହୋଇଛନ୍ତି ।