ଅପରେସନ୍ ‘ସ୍ମାଇଲ୍-ଟୁ’: ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ

କଟକ: ଅପରେସନ୍ ‘ସ୍ମାଇଲ୍-ଟୁ’ର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ। ଏଥିରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀଙ୍କ ସହ ଓଡ଼ିଶା ପୋଲିସର ଟିମ୍ ୧୦ଟି ରାଜ୍ୟକୁ ଯାଇ ନିଖୋଜ ପିଲାଙ୍କ ସଂପର୍କରେ ପତ୍ତା ଲଗାଇବ। ଶୁକ୍ରବାର କ୍ରାଇମବ୍ରାଞ୍ଚ ଏଡିଜି ବି.କେ. ଶର୍ମା ଏହି ସୂଚନା ଦେଇଛନ୍ତି।

କ୍ରାଇମବ୍ରାଞ୍ଚ୍ ଏଡିଜି କହିଛନ୍ତି, ନିଖୋଜ ପିଲାମାନଙ୍କୁ ଖୋଜିବା ପାଇଁ ଦେଶବ୍ୟାପୀ ଚାଲିଥିବା ଅପରେସନ୍ ‘ସ୍ମାଇଲ୍-ଟୁ’ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାରୁ ପ୍ରାୟ ୬୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ତେବେ ସବୁ ଜିଲ୍ଲାରୁ ସବିଶେଷ ତଥ୍ୟ ଆସି ନ ଥିବାରୁ ସଂଖ୍ୟା ଆହୁରି ବଢ଼ିପାରେ। ସେହିଭଳି ଏହି ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶାରୁ ଅଧିକ ସଫଳ ମିଳିଛି।  ଓଡ଼ିଶାରୁ ନିଖୋଜ ହୋଇ ବିଭିନ୍ନ ରାଜ୍ୟରେ ରହୁଥିବା ଶିଶୁଙ୍କ ସଂପର୍କରେ ମିଳିଥିବା ସୂଚନା ଆଧାରରେ ଆସନ୍ତାକାଲିଠାରୁ ୧୦ଟି ରାଜ୍ୟକୁ ଟିମ୍ ପଠାଯିବ।

ସେ ଆହୁରି ମଧ୍ୟ କହିଛନ୍ତି, ଚଳିତ ଥର ଦାଦନ ଖଟିବାକୁ ଶ୍ରମିକ ଭାବେ ନିଆଯାଉଥିବା ଛୋଟଛୋଟ ପିଲାଙ୍କ ଉପରେ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା। ଚେନ୍ନାଇ ଯାଉଥିବା ଏଭଳି ଏକ ୨୪ ଜଣିଆ ଦଳକୁ ଗଜପତି ଏସପି ଧରିଥିଲେ। ଏହି ଦଳରେ ୧୦ ଜଣ ଛୋଟ ପିଲା ଥିଲେ।

ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗତବର୍ଷ ଅପରେସନ ସ୍ମାଇଲ୍ ଆରମ୍ଭ କରାଯାଇଥିଲା।