କଅଁଳ ମନରେ ଦୁଃଖର ପାହାଡ଼, ତଥାପି ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ଟପ୍ପର

କଟକ (ଓଡ଼ିଶା ରିପୋର୍ଟର): କଅଁଳ ମନ ଉପରେ ଲଦି ହୋଇ ପଡ଼ିଲା ଦୁଃଖର ପାହାଡ଼ । ଜୀବନ କ’ଣ ବୁଝିବା ଆଗରୁ ବାପାମା’ ଚାଲିଗଲେ ଆରପାରିକୁ। ସାହାରା ଦେଇଥିବା ଏକମାତ୍ର ମଉସା ବି ଚାଲି ଯାଇଥିଲେ ସେମାନଙ୍କ ପଛେ ପଛେ। ତଥାପି ଭାଙ୍ଗି ପଡ଼ି ନ ଥିବା ୧୫ ବର୍ଷୀୟା ଶର୍ମିଷ୍ଠା ମହାପାତ୍ର ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।  ଡିପ୍ଲୋମା ଇଞ୍ଜିନିୟରିଂ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ସେ ଟପ୍ପର ହୋଇଛନ୍ତି। କଟକ ସ୍ଥିତ ବୋଷ ଇଂଜିନିୟରିଂ […]

topper

topper

Niharika Rout
  • Published: Thursday, 23 September 2021
  • Updated: 23 September 2021, 12:21 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଅଁଳ ମନ ଉପରେ ଲଦି ହୋଇ ପଡ଼ିଲା ଦୁଃଖର ପାହାଡ଼ । ଜୀବନ କ’ଣ ବୁଝିବା ଆଗରୁ ବାପାମା’ ଚାଲିଗଲେ ଆରପାରିକୁ। ସାହାରା ଦେଇଥିବା ଏକମାତ୍ର ମଉସା ବି ଚାଲି ଯାଇଥିଲେ ସେମାନଙ୍କ ପଛେ ପଛେ। ତଥାପି ଭାଙ୍ଗି ପଡ଼ି ନ ଥିବା ୧୫ ବର୍ଷୀୟା ଶର୍ମିଷ୍ଠା ମହାପାତ୍ର ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।  ଡିପ୍ଲୋମା ଇଞ୍ଜିନିୟରିଂ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ସେ ଟପ୍ପର ହୋଇଛନ୍ତି।

କଟକ ସ୍ଥିତ ବୋଷ ଇଂଜିନିୟରିଂ ସ୍କୁଲରେ ଡିପ୍ଲୋମା ପଢ଼ିବାକୁ ଚାହୁଁଥିବା ଶର୍ମିଷ୍ଠା ମହାପାତ୍ର ଏହି ପ୍ରବେଶିକା ପରୀକ୍ଷା ପାଇଁ ଖୁବ୍‌ ପରିଶ୍ରମ କରିଥିଲେ। ତେବେ ପ୍ରବେଶିକା ପରୀକ୍ଷାରେ ୧ ନମ୍ବର ସ୍ଥାନ ହାସଲ କରିଥିବା ଜାଣିବା ପରେ ସେ ବହୁତ ଖୁସି ଅଛନ୍ତି। ବାପାମା’ଙ୍କ ଇଚ୍ଛା ପୂରଣ କରିବାକୁ ଆଗକୁ ବି.ଟେକ କରି ଆଇଏଏସ୍‌ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଶର୍ମିଷ୍ଠାଙ୍କ ଘର କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ। ଜୀବନ କ’ଣ ଜାଣିବା ପୂର୍ବରୁ ସେ ହରାଇଥିଲେ ତାଙ୍କ ବାପାମା’ଙ୍କୁ। ଏହାପରେ ତାଙ୍କ ସାହାରା ପାଲଟିଥିଲେ ତାଙ୍କ ମଉସା। ପାଖରେ ରଖି ବାପାମା’ଙ୍କ ଭଳି ସ୍ନେହ, ଆଦର କରୁଥିଲେ ଓ ପାଠ ପଢ଼ାଉଥିଲେ । ହେଲେ ଶର୍ମିଷ୍ଠାଙ୍କ ଏହି ଖୁସିକୁ ବି ସହିଲା ନାହିଁ ଦଇବ। ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ମଉସା ବି ଆଖି ବୁଜି ଦେଲେ।

ଏହାପରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିବା ଶର୍ମିଷ୍ଠାଙ୍କୁ ସହାୟତାର ହାତ ବଢ଼ାଇଲା ହେଲା ଜିଲ୍ଲା ପ୍ରଶାସନ । ସିଡବ୍ଲ୍ୟୁସି ସହାୟତାରେ ବିଡ଼ାନାସୀରେ ଥିବା ଶୋଭନୀୟ ଶିକ୍ଷାଶ୍ରମରେ ତାଙ୍କୁ ରଖା ଯାଇଥିଲା। ସେଠାରେ ରହି ପାଠ ପଢ଼ିବାର ସୁଯୋଗ ପାଇଥିଲେ ଶର୍ମିଷ୍ଠା।  କଠିନ ପରିଶ୍ରମ କରି ସେ ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ଟପ୍ପର ହେବାର ଗୌରବ ହାସଲ କରିପାରିଛନ୍ତି।  ତାଙ୍କ ସଫଳତା ପାଇଁ ଗର୍ବ ଅନୁଭଵ କରୁଛନ୍ତି ଆଶ୍ରମର କର୍ମକର୍ତ୍ତା ଏବଂ ତାଙ୍କ ସହପାଠୀମାନେ।

ଶର୍ମିଷ୍ଠା କହିଛନ୍ତି, ବାପାମା’ ଯିବା ପରେ ମଉସା ଚାଲିଗଲେ। ବହୁତ ଭାଙ୍ଗି ପଡ଼ିଥିଲି। ତା’ ପରେ ବିଡିଓଙ୍କ ସହଯୋଗରେ ଶୋଭନୀୟ ଶିକ୍ଷାଶ୍ରମରେ ପଢ଼ିଲି। ଏଠାରେ ଖୁବ ସହଯୋଗ ପାଇଲି। ଏଠାକାର କର୍ମକର୍ତ୍ତା ବାପାମା’ଙ୍କ ପରି ସ୍ନେହ ବି କରୁଛନ୍ତି।

ଶୋଭନୀୟ ଶିକ୍ଷାଶ୍ରମ ସଂପାଦକ ଡକ୍ଟର ଅରୁନ୍ଧତୀ ଦେବୀ କହିଛନ୍ତି,  କଅଁଳ ମନ ହେଲେ ବି ଆତ୍ମନିର୍ଭରଶୀଳ ହେବା ପାଇଁ ତାର ରହିଛି ଅଦ୍ୟମ ଇଚ୍ଛା।  ଡିପ୍ଲୋମା ପରେ ଆଇଏଏସ୍‌ ହେବା ପାଇଁ  ଝିଅଟି ମନେ ମନେ ପଣ କରିଛି। କେବଳ ସେତିକି ନୁହେଁ, ତାକୁ ସାକାର କରିବାକୁ ପରିଶ୍ରମ ବି କରୁଛି।

ବାପାମା’ଙ୍କୁ ହରାଇ ପ୍ରତିକୂଳ ସ୍ଥିତିରେ ଥାଇ ମଧ୍ୟ ଏପରି ସଫଳତା ପାଇଥିବା ଶର୍ମିଷ୍ଠାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଛନ୍ତି।  ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ପ୍ରକାର ବାଧାବିଘ୍ନକୁ ଏଡ଼ାଇ କଟକର ଶୋଭନୀୟ ଶିକ୍ଷାଶ୍ରମର ଅନ୍ତେବାସୀ ଶର୍ମିଷ୍ଠା ମହାପାତ୍ର ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ପ୍ରଥମ ରାଙ୍କ ରଖି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos