ଓୟୁଏଟିରେ ଛାତ୍ରଙ୍କୁ ରାଗିଂ ଘଟଣା: ୫ଜଣ ଛାତ୍ରଙ୍କ ବହିଷ୍କାର ନେଇ ଆଜି ବିଧିବଦ୍ଧ ନୋଟିସ ଜାରି କରିବେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଓୟୁଏଟିର ପ୍ରଥମବର୍ଷ ଫରେଷ୍ଟ୍ରି ଛାତ୍ରଙ୍କୁ ରାଗିଂ ଅଭିଯୋଗ ଘଟଣାରେ ୫ଜଣ ସିନିୟର ଛାତ୍ରଙ୍କୁ ବହିଷ୍କାର କରାଯାଇଛି। ଆଜି ଏ ନେଇ ବିଧିବଧ ଘୋଷଣା କରାଯିବା ସହ ସେମାନଙ୍କୁ ୟୁନିଭର୍ସିଟି ପକ୍ଷରୁ ଲିଖିତ ଆକାରରେ ଜଣାଇ ଦିଆଯିବ। ଏହାସହ ସଂପୃକ୍ତ ଛାତ୍ରମାନଙ୍କ ବିରୋଧରେ ନିର୍ଦ୍ଦେଶ ଜାରି କରିବା ପୂର୍ବରୁ ଯେପରି ଆଇନଗତ ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ଯୁନିଭର୍ସିଟି କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିବା ଓୟୁଏଟି କୂଳପତି ମନୋରଂଜନ କର କହିଛନ୍ତି। ଏହାଛଡା ସଂପୃକ୍ତ ଛାତ୍ରମାନେ ନିଜ ନିଜର ପକ୍ଷ ରଖିବାକୁ ମଧ୍ୟ କୁହାଯାଇଛି। ସଂପୃକ୍ତ ଛାତ୍ରଙ୍କ ବିରୋଧରେ ବାରମ୍ୱାର ଅଭିଯୋଗ ଆସୁଥିବାରୁ ଯୁନିଭର୍ସିଟି ପକ୍ଷରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି। ଅନ୍ୟ ୧୦ଜଣ ଛାତ୍ରଙ୍କ  ବିରୋଧରେ କି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ମଧ୍ୟ ସ୍ଥିର କରାଯିବ। ସେପଟେ ଯୁନିଭର୍ସିଟି ପକ୍ଷରୁ ଏଭଳି ନିଷ୍ପତି ନେବା ଲାଗି ସ୍ଥିର ହୋଇଥିବାରୁ କ୍ୟାମ୍ପସରେ ପୋଲିସ ସୁରକ୍ଷା ବଢାଇ ଦିଆଯାଇଛି। ରାଗିଂ ନେଇ ଅଭିଯୋଗ ଆସିବା ପରେ ଭିସିଙ୍କ ଅଧ୍ୟକ୍ଷତାରେ ଓୟୁଏଟି ଅଧିନରେ ଥିବା ବିଭିନ୍ନ କଲେଜ ଡିନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ପ୍ରସଙ୍ଗରେ ୧୨ଜଣ ସିନିୟର୍ ଛାତ୍ରଙ୍କୁ ଥାନାରେ ହାଜର ହେବା ପାଇଁ କମିଶନରେଟ ପୋଲିସ ନୋଟିସ୍ ଜାରି କରିଛି। ସେମାନଙ୍କୁ ୧୪ ଦିନ ଭିତରେ ହାଜର ହେବା ପାଇଁ ନୋଟିସ ଜାରି ହୋଇଛି। ଅଭିଭାବକଙ୍କ ଅଭିଯୋଗ ଭିତ୍ତିରେ ଏହି ନୋଟିସ ଜାରି ହୋଇଛି।