ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୦ ଦଫା ଦାବି ପୂରଣ ପାଇଁ ରାଜଧାନୀରେ ପଞ୍ଚାୟତ ସମିତି ସଭ୍ୟମାନେ ଆନ୍ଦୋଳନ କରୁଥିଲେ। ଦାବି ହାସଲ ପାଇଁ ଆଜି ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପୋଲିସ ଓ ଆନ୍ଦୋଳନରତ ପଞ୍ଚାୟତ ସମିତି ସଭ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଆନ୍ଦୋଳନକାରୀଙ୍କୁ ପୋଲିସ ଘଉଡାଇବା ପାଇଁ ନିର୍ଦ୍ଧୁମ ଲାଠି ଚାର୍ଜ କରିଥିଲା। ଏଥିରୁ ମହିଳା ଓ ଯୁବତୀ ମଧ୍ୟ ବାଦ ପଡ଼ିନଥିଲେ। ଗୋରୁ ଗାଈଙ୍କ ଭଳି ପୋଲିସ ଆନ୍ଦୋଳନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଜୀବନ ବିକାଳ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିଲେ।
ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସମିତି ସଭ୍ୟ ଓ ସଭ୍ୟାମାନଙ୍କୁ ସ୍ୱତନ୍ତ୍ର କୋଠରୀ ସହ ଆସବାବପତ୍ର ଯୋଗାଇ ଦେବା, ମାସିକ ଭତ୍ତା ୧୮୮୦ ଟଙ୍କାରୁ ୩୦,୦୦୦ ଟଙ୍କାକୁ ବୃଦ୍ଧି, ସେବାରେ ଥିବାବେଳେ ଦୁର୍ଘଟଣା ହେଲେ ୧୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା ଆଦି ଦାବି ପୂରଣ ପାଇଁ ସମିତି ସଭ୍ୟମାନେ ଆନ୍ଦୋଳନ କରୁଛନ୍ତି।
ଗତ ୨୦ ତାରିଖରୁ ପଞ୍ଚାୟତ ସମିତି ସଭ୍ୟ ଓ ସଭ୍ୟାମାନେ ଦାବି ପୂରଣ ପାଇଁ ପିଏମ୍ଜିରେ ଧାରଣା ଦେଇଥିଲେ। ମାତ୍ର ସେମାନଙ୍କ ଦାବି ରାଜ୍ୟ ସରକାର ପୂରଣ କରୁନଥିଲେ। ଏହାର ପ୍ରତିବାଦରେ ସମିତି ସଭ୍ୟ ଓ ସଭ୍ୟାମାନେ ଆଜି ଏକତ୍ର ହୋଇ ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଧସ୍ତାଧସ୍ତି ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।