୨୦୧୬-୧୭ ଆର୍ଥିକ ବର୍ଷରେ ପାଣି ପଂଚାୟତ ପାଇଁ ହେବ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ

cm-pani-panchayatଭୁବନେଶ୍ୱର: ପାଣି ପଂଚାୟତଗୁଡ଼ିକର ବିକାଶ ଓ ଦକ୍ଷତା ବୃଦ୍ଧି ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ଏକ ସ୍ୱତନ୍ତ୍ର ବଜେଟର ବ୍ୟବସ୍ଥା ରଖିବା ପାଇଁ ସରକାର ବିଚାର କରୁଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଓୟୁଏଟି ପରିସରରେ ପାଣି ପଞ୍ଚାୟତ ପକ୍ଷ ପାଳନର ଉଦଯାପନୀ ଉତ୍ସବରେ ଯୋଗ ଦେଇ ସେ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ପାଣି ପଂଚାୟତ ଆମ ରାଜ୍ୟର ଚାଷୀ ଭାଇମାନଙ୍କର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ। ୨୦୦୨ ମସିହାରୁ ଏହା ଆରମ୍ଭ ହେବା ପରେ ଜଳ ପରିଚାଳନାରେ ବହୁ ପରିବର୍ତ୍ତନ ଆସିଛି। ଚାଷୀମାନଙ୍କୁ ସଶକ୍ତୀ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି। ପାଣି ପଂଚାୟତ ଯୋଗୁଁ ଉତ୍ପାଦନ ମଧ୍ୟ ବଢ଼ିଛି। ଏଥିଯୋଗୁଁ ଗୋଟିଏ ଫସଲ ପରେ ଚାଷୀ ଆଉ ଗୋଟିଏ ଫସଲ କରିପାରୁଛନ୍ତି।

ସେ କହିଥିଲେ, କୃଷି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। କୃଷିର ବିକାଶ ପାଇଁ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା କରାଯାଇଛି। ଚାଷୀମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି। କୃଷି ଓ ଜଳସେଚନର ଉନ୍ନତି ପାଇଁ ଚଳିତ ବର୍ଷ ଜଳସଂପଦ ଓ କୃଷି ବିଭାଗର ବଜେଟ୍ ଯଥାକ୍ରମେ ୧୦୦୦ କୋଟି ଓ ୫୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ମାଇନର ଇରିଗେସନ୍ ସିଷ୍ଟମଗୁଡ଼ିକର ପରିଚାଳନା ଦାୟିତ୍ୱ ପାଣିପଂଚାୟତଗୁଡ଼ିକୁ ଦିଆଯାଇଛି। ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ।

ପାଣି ପଂଚାୟତ ଯୋଜନାକୁ ସଫଳ କରିବାକୁ ଚାଷୀମାନଙ୍କୁ ଆହ୍ୱାନ ଦେଇ ସେ କହିଥିଲେ ପାଣି ପଂଚାୟତ ହେଉଛି ଚାଷୀମାନଙ୍କର କାର୍ଯ୍ୟକ୍ରମ। ଏହାକୁ ଆହୁରି ବିକଶିତ କରିବା ପାଇଁ କାର୍ଯ୍ୟ କରିବା ଏବଂ ଏହା ମାଧ୍ୟମରେ କୃଷିକୁ ଏକ ଲାଭଦାୟକ ବୃତ୍ତି କରିବା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଓ ଜଳ ସଂପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।