ପାରାଦୀପ ତୈଳ ବିଶୋଧନାଗାର ପରିସରରେ ଅଗ୍ନିକାଣ୍ଡ

ପାରାଦୀପ: ଆଉ ୭ଦିନ ପରେ ଉଦଘାଟନ ହେବାକୁ ଥିବା ପାରାଦୀପ ତୈଳ ବିଶୋଧନାଗାର ପରିସରରେ ନିଆଁ ଲାଗି ଯାଇଛି। ପ୍ଲାଣ୍ଟର ଏକ ନମ୍ବର ଫାଟକ ନିକଟ ଏଭି ୟୁନିଟରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ୭ଟି ଦମକଳ ଗାଡିକୁ ନିୟୋଜିତ କରାଯାଇଛି। ଏହାସତ୍ତ୍ୱେ ନିଆଁକୁ ଆୟତ୍ତ କରାଯାଇ ପାରୁନାହିଁ। କେଉଁ କାରଣରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ।

ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ଏଭି ଯୁନିଟରେ ହଠାତ ନିଆଁ ଲାଗିଯାଇଥିଲା। ପ୍ରଥମେ ଆଇଓସିଏଲ ୪ଟି ଦମକଳକୁ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ତେବେ ନିଆଁ ଆୟତ୍ତ ନ ହେବାରୁ ପରେ ପିପିଏଲ, ଇଫକୋ ଓ ପାରାଦୀପ ବନ୍ଦରରୁ ଆଉ ୩ଟି ଦମକଳ ଅଣାଯାଇ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ତାରିଖରେ ଓଡ଼ିଶା ଗସ୍ତରେ ଆସି ଏହି ତୈଳ ବିଶୋଧନାଗାରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ଏପରି ଅଗ୍ନିକାଣ୍ଡ ଘଟି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି।