ଯାତ୍ରୀ ନା ମାଲ୍‌: ବସ୍ତା ପରି ବୁହା ହେଉଛନ୍ତି ଲୋକେ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି। ଏଠାରେ ପ୍ରତିଦିନ ଲୋକେ ଯାତ୍ରୀବାହୀ ଯାନରେ ଜୀବନକୁ ପାଣି ଛଡାଇ ଯାତ୍ରା କରିଥାନ୍ତି। କମାଣ୍ଡର ହେଉ କି ବସ୍‌ ପରିବା ବସ୍ତା ଲଦା ହେବା ପରି ଲୋକେ ଲଦି ହୋଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି। ତାହା ପୁଣି ଘାଟି ରାସ୍ତାରେ।

ଏହା ଗୋଟିଏ ଦିନର କଥା ନୁହେଁ। ସବୁଦିନ ଏପରି ଲଦା ଲଦି ହୋଇ ଲୋକେ ଯାଇଥାନ୍ତି। ପାରଳାଖେମୁଣ୍ଡିରୁ ଗୁମ୍ମା ଯାଉଥିବା ଏବ ବସ୍‌ ଭିତରେ ଥିଲେ ଫୁଲ ଲୋକ। ଛିଡା ହେବାକୁ ବି ସ୍ଥାନ ନ ଥିଲା। ଏହାବାଦ କିଛି ଲୋକ ବସ୍‌ ଡୁଅର ପାଖରେ ଓଳାଇ ହୋଇଥିଲେ। ଉପରେ ଲଗେଜ ରହିବା ସ୍ଥାନ ବି ଥିଲା ଫୁଲ୍‌। ଏହା ସତ୍ତ୍ୱେ ଚାଳକ ବିନା ଚିନ୍ତାରେ ଗାଡି ଆଗକୁ ବଢାଇ ଥିଲେ। କେବଳ ବସ୍‌ ନୁହେଁ, ନଜର ପଡିଥିଲା ଏକ କମାଣ୍ଡର ଉପରେ। ଭିତର କଥା ଛାଡନ୍ତୁ, ଗାଡି ବନେଟ୍‌ ବି ବାଦ ପଡି ନ ଥିଲା। ଏପରିକି ମହିଳାମାନେ ମଧ୍ୟ ଗାଡିରେ ଝୁଲିକି ଯାଉଥିବା ଦେଖିବାକୁ ମିଳିଥିଲା।

ଏଠାରୁ ଗୁମ୍ମାକୁ ୨ଟି ସରକାରୀ ବସ୍‌ ଚାଲୁଛି। ଏହାବାଦ ଗୋଟିଏ ବିଜୁ ଗାଁ ଗାଡି ଚାଲୁଛି। ହେଲେ ଏହା ଆବଶ୍ୟକଠାରୁ କମ୍‌ ହୋଇ ଥିବାରୁ ଲୋକେ ବାଧ୍ୟ ହୋଇ ଏପରି ବିପଦଜନକ ଭାବେ ଯାଉଥିବା କହିଛନ୍ତି।

ଜଣେ ଅଞ୍ଚଳବାସୀ କହିଛନ୍ତି,“କୋର୍ଟ କଚେରୀ ହେଉ କି ଆଉ କିଛି ଗୁରୁତ୍ୱପୂର୍ଣ୍ଣ କାମ ଆମକୁ ବାଧ୍ୟ ହୋଇ ଯିବାକୁ ପଡୁଛି।”

ଅନ୍ୟ ଜଣେ କହିଛନ୍ତି,“ଏପରି ବିପଦଜନକ ଭାବେ ଯିବା ବେଳେ ବହୁ ଦୁର୍ଘଟଣା ହେଉଛି। ଦୁର୍ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି। ଉପାୟ ନାହିଁ, ବାଧ୍ୟ ହୋଇ ଓହଳିକି ଯାଉଛି। ଏ ନେଇ ପ୍ରଶାସନକୁ ଅବଗତ କରାଗଲେ ମଧ୍ୟ ଅଧିକ ଗାଡିର ବ୍ୟବସ୍ଥା କରୁନାହାନ୍ତି।”

ଗଜପତି ଭାରପ୍ରାପ୍ତ ଏମ୍‌ଭିଆଇ ଶିବପ୍ରସାଦ ସୁବୁଦ୍ଧି କହିଛନ୍ତି,“ବାରମ୍ବାର ଜରିମାନା ଆଦାୟ କରୁଛୁ। ହେଲେ ଏପରି ଯାତ୍ରୀ ପରିବହନ ଚାଲିଛି। ଲୋକଙ୍କ ଆବଶ୍ରକତା ଅନୁସାରେ ଗାଡି ଉପଲବ୍ଧ ନ ଥିବାରୁ ସେମାନେ ବାଧ୍ୟ ହୋଇ ଏମିତି ଯାତାୟତ କରୁଛନ୍ତି।