ପାରଳାଖେମୁଣ୍ଡିରେ ପରଂପରା ନାଁରେ ଚାଲିଛି ଚେଙ୍କ ଚିକିତ୍ସା

chenka-chikishaପାରଳାଖେମୁଣ୍ଡି: ସଚେତନତା ସତ୍ତ୍ୱେ ରାଜ୍ୟରେ ବନ୍ଦ ହେଉନି ଚେଙ୍କ ଚିକିତ୍ସା। ଏବେବି ପରଂପରା ଓ ଚିକିତ୍ସା ନାଁରେ ଦିଆଯାଉଛି ନିର୍ଯାତନା। ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି।  କୌଣସି ଆଦିବାସୀ ଉପାନ୍ତ ଅଂଚଳ ନୁହେଁ, ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ‘ଓଟିଭି’ ଏକ୍ସକ୍ଲୁସିଭ୍ ଭାବେ ଏହି ଦୃଶ୍ୟକୁ ପ୍ରସାରଣ କରିଛି। ଏଥିରେ ଦେଖିବାକୁ ମିଳିଛି ଯେ ଜଣେ ବୃଦ୍ଧା ପାଞ୍ଚରୁ ଛଅ ଜଣ ବ୍ୟକ୍ତିଙ୍କ ସହାୟତାରେ ବିଭିନ୍ନ ବର୍ଗର ପିଲାଙ୍କୁ ବଳ ପୂର୍ବକ ଚେଙ୍କ ଦେଉଛନ୍ତି। ଚେଙ୍କ ଦେବାରେ ଉକ୍ତ ବୃଦ୍ଧାଙ୍କୁ ସହାୟତା କରୁଥିବା ଅଧିକାଂଶ ଲୋକ ତେଲୁଗୁ ସଂପ୍ରଦାୟର। ପିଲାମାନେ ଚିତ୍କାର କରୁଥିବା ସତ୍ତ୍ୱେ ବୃଦ୍ଧା ଜଣଙ୍କ କିଛି ଶୁଣୁ ନ ଥା’ନ୍ତି। ଚେଙ୍କ ଦିଆଯାଉଥିବା ସ୍ଥାନର ପାଉଁଶ ବୋଳି ଦିଆଯାଉଛି। ଚେଙ୍କରୁ ହେଉଥିବା କଷ୍ଟକୁ ପ୍ରଶମିତ କରିବା ପାଇଁ ପାଉଁଶ ବୋଳି ଦିଆଯାଏ।

ଜଣେ ସ୍ଥାନୀୟ ଲୋକ କହିଛନ୍ତି, ବର୍ଷ ବର୍ଷ ଧରି ଏହି ପରଂପରା ଚାଲି ଆସିଛି। ଚେଙ୍କ ଦ୍ୱାରା ପେଟ ବଥା, ଅଣ୍ଟା ବଥା ଓ ଖଞ୍ଜା ଯନ୍ତ୍ରଣା ଭଲ ହୋଇଯାଏ। ସେ ଆହୁରି ମଧ୍ୟ କହିଛନ୍ତି, ତେଲୁଗୁ ସଂପ୍ରଦାୟର ପୋଙ୍ଗଲ ୪ ଦିନ ଧରି ପାଳନ ହୁଏ। ପୋଙ୍ଗଲର ତୃତୀୟ ଦିନ ହୁଏ କାଡୁମ୍। ଏଇ ଦିନ ହି ଦିଆଯାଏ କାଡୁମ୍ ଚେଙ୍କ। ଚେଙ୍କ ପାଇଁ ଭୋରରୁ ହିଁ ଲାଗିଯାଏ ଲମ୍ୱାଲାଇନ୍। ପ୍ରଥମେ ତତଲା ନିଆଁରେ ଲୁହାଛଡକୁ ଗରମ କରାଯାଏ। ଆଉ ତା’ପରେ ଏଇ ବୃଦ୍ଧା ଚେଙ୍କ ଦିଅନ୍ତି। ପ୍ରତିବର୍ଷ କାଡୁମରେ ଏମିତି ୩ ରୁ ୪ ଘଣ୍ଟା ଧରି ଚାଲେ ଏଇ ଚିକିତ୍ସା। ଲୋକଙ୍କ ବିଶ୍ୱାସ ଚେଙ୍କରେ ହିଁ ସବୁ ରୋଗ ଭଲ ହୋଇଯାଏ।

ବର୍ଷ ବର୍ଷ ଧରି ପରମ୍ପରା ଓ ଚିକିତ୍ସା ନାଁରେ ଚାଲିଛି କାଡୁମ୍ ଚେଙ୍କ। ତେବେ ଯେଉଁଭଳି ଭାବେ ଛୋଟ ଛୋଟ ପିଲା ଏକପ୍ରକାର ନିର୍ଯାତନାର ଶିକାର ହେଉଛନ୍ତି, ତାକୁ ବନ୍ଦ କରିବାର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ନବରଙ୍ଗପୁରରେ ୨୭ ଦିନର ଏକ ଶିଶୁକୁ ଚେଙ୍କ ଦିଆଯାଇଥିବା ନେଇ ଖବର ପ୍ରସାରିତ ହୋଇଥିଲା। ସେହିଭଳି କୋରାପୁଟରେ ଏକ ୨୨ ଦିନର ଶିଶୁ ଓ ମାଲକାନଗିରିରେ ଏକ ୨୦ ଦିନର ଶିଶୁକୁ ଚିକିତ୍ସା କରିବାକୁ ଯାଇ ଚେଙ୍କ ଦିଆଯାଇଥିଲା।