ପାଟକୁରା: ମହୁମାଛି ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ପାଟକୁରା: କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କାବିଲପୁର ଗାଁରେ ଆଜି ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ସର୍ବେଶ୍ୱର ନାୟକ। ସର୍ବେଶ୍ୱରଙ୍କ ପୁଅ ପ୍ରସନ୍ନ ନାୟକକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜି ସର୍ବେଶ୍ୱର ବିଲ କାମ ସାରି ଘରକୁ ଫେରୁଥିବାବେଳେ ଗାଁ ମଝିରେ ମହୁମାଛି ଦଳ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ପ୍ରସନ୍ନ ମଧ୍ୟ ମୁହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ସର୍ବେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ମହୁମାଛି ଆକ୍ରମଣରେ ଗାଁର ଅନ୍ୟ ୩ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଛନ୍ତି ।