ପାଟଣାଗଡ଼: ମଧ୍ୟାହ୍ନ ଭୋଜନ ଖାଇ ୨୭ ଛାତ୍ରଛାତ୍ରୀ ଅସୁସ୍ଥ

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥିତ ବାଞ୍ଜିପାଲି ଗ୍ରାମରେ ଥିବା ଛାତ୍ରାବାସରେ ମଧ୍ୟାହ୍ନ ଭୋଜନ ଖାଇ ୨୭ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସମସ୍ତଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଚିକିତ୍ସା କରୁଥିବା ଡାକ୍ତର ବିଜୁ ଅଗ୍ରୱାଲ କହିଛନ୍ତି।

ଶନିବାର ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଭାତ, ଡାଲି ଓ ସୋୟାବିନ ତରକାରୀ ଖାଇବାକୁ ଦିଆଯାଇଥିଲା। ଖାଇବାର ୧୦ରୁ ୧୫ ମିନିଟ ପରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ଅସୁସ୍ଥ ହୋଇପଡିଥିଲେ। ପ୍ରଥମେ ୧୦ ଓ ପରେ ୧୭ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଖବର ପାଇ ପାଟଣାଗଡ ଉପଜିଲ୍ଲାପାଲ ଶରତଚନ୍ଦ୍ର ପଣ୍ଡା ଡାକ୍ତରଖାନାରେ ପହଞ୍ଚି ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଉପଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା କହିଛନ୍ତି, ପିଲାମାନଙ୍କୁ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି। ଏପରି ଘଟଣା କାହିଁକି ଘଟିଲା ତାହାର ତଦନ୍ତ କରାଯାଉଛି। ତଦନ୍ତ ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।