ସାପ ଭୟ! ଆମିଷ ଖାଉନାହାନ୍ତି ପୂରା ଗାଁ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଓଡ଼ିଶାର ଢେଙ୍କାନାଳରେ ଏମିତି ଗୋଟିଏ ଗାଁ ରହିଛି, ଯେଉଁଠି ଆମିଷ ଖାଇବା ନେଇ ଲୋକଙ୍କ ମନରେ ନାନା ପ୍ରକାରର ତଥାକଥିତ ପ୍ରଥା ଓ ଲୋକକଥା ରହି ଆସିଛି। ଆମିଷ ଖାଇଲେ ଗୋଖର ସାପ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିବ। ଆଖି ଫୁଟିଯିବ ନ ହେଲେ ଜୀବନ ଚାଲିଯିବ। ଏପରି ଏକ ଅଜବ ଓ ତଥାକଥିତ ପ୍ରଥାରେ ଉକ୍ତ ଗାଁର ଲୋକ ବିଶ୍ୱାସ କରନ୍ତି।

ଏହି ବିଶ୍ୱାସକୁ ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଗାଁ ଲୋକମାନେ ମାନୁଛନ୍ତି। ଏଥିପାଇଁ ଶହଶହ ବର୍ଷ ହେଲାଣି ଗାଁ ଲୋକ ନା ଆମିଷ ଖାଉଛନ୍ତି ନା ମାଛ ଓ ମାଂସ ବିକ୍ରି କରିବାକୁ ଗାଁ କେହି ଯାଉଛନ୍ତି।

ଏସିଆ ମହାଦେଶର ସବୁଠାରୁ ବଡ଼ ଗାଁ ହେଲା ଢେଙ୍କାନାଳ ଜିଲ୍ଲାର ଭୁବନ। ଭୁବନ ଅଧୀନରେ ଥିବା ବେଣ୍ଟ ଶାଳିଆ ଗାଁରେ ଲୋକମାନେ ଜନ୍ମ ହେବା ପରଠାରୁ ତୁଣ୍ଡରେ କେବେ ହେଲେ ମାଛ କି ମାଂସର ସ୍ୱାଦ ବାରି ନାହାନ୍ତି। କାରଣ ଏଠାରେ ଆମିଷ ଖାଇବା ଦ୍ୱାରା ଅଶୁଭ ଘଟଣା ଘଟେ ବୋଲି ଗୋଟିଏ ବିଶ୍ୱାସ କାହିଁ କେଉଁ କାଳରୁ ରହି ଆସିଛି।

ଏଠି ଆମିଷ ଖାଇବା ତ ଦୁରର କଥା ଭୟରେ ଏହି ଗାଁକୁ କେହି ଆମିଷ ବିକ୍ରି କରିବାକୁ ମଧ୍ୟ ଆସନ୍ତି ନାହିଁ। ଶାଳିଆ ବେଣ୍ଟ ଗାଁରେ କାହିଁ କେଉଁ ଆବାହମାନ କାଳରୁ ଆମିଷ ବ୍ୟାନ। ଏଠାକାର ଲୋକଙ୍କ ଭିତରେ ବିଶ୍ୱାସ ରହିଛି ଯେ ଯିଏ ବି ମାଛ, ମାଂସ, ଅଣ୍ଡା ଭଳି କୌଣସି ବି ଆମିଷ ଖାଦ୍ୟ ଖାଇବ ତାକୁ ଗୋଖର ସାପ ଗୋଡ଼ାଇ ଗୋଡ଼ାଇ ଚୋଟ ମାରିବ।

ଜୀବନ ମଧ୍ୟ ଚାଲିଯିବାର ଆଶଙ୍କା ରହିଛି। ଖାସ ସେଥିପାଇଁ ଭୟରେ ଏହି ଗାଁରେ ବସବାସ କରୁଥିବା ପ୍ରାୟ ଷାଠିଏଟି ପରିବାର ଆମିଷ ଖାଉନାହାନ୍ତି।

ଲୋକଙ୍କ କହିବା କଥା ହେଲା, ପୂର୍ବ କାଳରେ ଏହି ଗାଁରେ ଭାଗବତ ସଂକୀର୍ତ୍ତନ ଚାଲିଥିବା ବେଳେ ଜଣେ ମାଛ ବ୍ୟବସାୟୀ ପଶି ଆସିଥିଲେ। ତାଙ୍କୁ ଲୋକମାନେ ଗାଁକୁ ଯିବାକୁ ବାରଣ କରିଥିଲେ ବି ସେ କିଛି ଶୁଣି ନଥିଲେ। ସେ ଗାଁ ବାଟ ଦେଇ ଅନ୍ୟତ୍ର ଯିବାକୁ ଚେଷ୍ଟା କରୁଥିବା ବେଳେ ଘଟିଥିଲା ଅଘଟଣ। ହଠାତ୍‌ ଗଛ ଉପରୁ ଗୋଟିଏ ଗୋଖର ସାପ ଆସି ତାଙ୍କୁ ଦଂଶନ କରିଥିଲା।

ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମ ଦେବତୀ ସୁନାଝରୀଙ୍କ ନିକଟରେ ସମର୍ପଣ କରିଥିଲେ। ସେଠାରେ ସେ ପଡ଼ି ରହିବା ପରେ ମା’ଙ୍କ କୃପାରୁ ଆରୋଗ୍ୟ ଲାଭ କରିଥିଲେ। ବାସ୍‌ ସେହିଦିନ ଉକ୍ତ ଲୋକକଥାକୁ ବିଶ୍ୱାସ କରି ପିଢ଼ି ପରେ ପିଢ଼ି ନିଜକୁ ଆମିଷ ଠାରୁ ଦୂରେଇ ରଖି ଆସିଛନ୍ତି।

ଗାଁରେ କୁକୁର ଓ ବିଲେଇ ରହିଥିଲେ ମଧ୍ୟ ସେମାନେ ମଧ୍ୟ ଆମିଷ ଖାଆନ୍ତି ନାହିଁ। ବେଣ୍ଟ ଶାଳିଆ ଗାଁର ଲୋକମାନେ ଘରେଘରେ କେବଳ ଗାଈ ରଖି ପୂଜା କରିଥାନ୍ତି। ଛେଳି, ମେଣ୍ଢା ଓ କୁକୁଡ଼ା ଏଠି ଦେଖିବା ସାତ ସପନ। ସେହିପରି ଗାଁରେ ଯେତେବେଳେ କୌଣସି ବାହାଘର, ବ୍ରତଘର କିମ୍ବା ଉତ୍ସବ ପାଳନ କରାଯାଏ ସେତେବେଳେ କେବଳ ନିରାମିଷ ଭୋଜିର ଆୟୋଜନ କରାଯାଇଥାଏ।

ଗାଁରେ ଥିବା ସରକାରୀ ସ୍କୁଲରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଜରିଆରେ ଅଣ୍ଡା ବଦଳରେ କଦଳୀ ଓ ଅନ୍ୟ ଫଳମୂଳ ଦିଆଯାଇଥାଏ। ଖାଲି ସେତିକି ନୁହେଁ, ପଡ଼ୋଶୀ ଗାଁରେ ଯଦି କୌଣସି ଝିଅ ଆମିଷ ଖାଉଥିବେ, ତା’ହେଲେ ସେ ଏହି ଗାଁରେ ବୋହୂ ମଧ୍ୟ ହୋଇ ପାରିବେ ନାହିଁ। ସମାନ ନୀତିରେ ବାହାର ଗାଁରେ ଯେଉଁମାନେ ଆମିଷ ଖାଉଥିବେ, ସେମାନଙ୍କ ଘରେ ମଧ୍ୟ ଗାଁର କୌଣସି ଝିଅଙ୍କୁ ବାହା ଦିଆଯାଏ ନାହିଁ।

ରାଜ୍ୟର କିଛି ଜିଲ୍ଲାରେ ରହିଥିବା ବୈଷ୍ଣବ ଧର୍ମର ଲୋକଙ୍କ ଘରେ ଏମାନେ ବନ୍ଧୁ ବାନ୍ଧିଥାଆନ୍ତି। ଗାଁର ଲୋକମାନେ ଗ୍ରାମ ଦେବତୀ ଭାବେ ମା ସୁନାଝରୀ ଠାକୁରାଣୀଙ୍କୁ ପୂଜା କରିବା ସହିତ ପ୍ରତ୍ୟେକ ଦିନ ନାମ ସଂକୀର୍ତ୍ତନ ମଧ୍ୟ କରିଥାନ୍ତି।

ଗାଁରେ ରହୁଥିବା ଭ୍ରମରବର ଦାସ କହିଛନ୍ତି, ଆମ ଗାଁର ଅନେକ ଲୋକ ବିଦେଶରେ ମଧ୍ୟ ଅଛନ୍ତି। ସେମାନଙ୍କୁ ଅନେକ ସମୟରେ ବାହାର ସାଙ୍ଗମାନେ ଆମିଷ ଖାଇବାକୁ କୁହନ୍ତି। ହେଲେ ସେମାନେ ଖାଆନ୍ତି ନାହିଁ। ଯଦି କେହି ଭୁଲରେ ଆମିଷ ଖାଇବେ, ତା’ହେଲେ ତାଙ୍କର ଗୋଟିଏ ଆଖି ନିଶ୍ଚିତ ନଷ୍ଟ ହୋଇଯିବ।

ଆମିଷ ଖାଇ ଅସୁସ୍ଥ ହେଉଥିବା ଲୋକମାନେ ଗ୍ରାମ ଦେବତୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ହିଁ ଆରୋଗ୍ୟ ଲାଭ କରିପାରିବେ। ଆମେ ବୈଷ୍ଣବ ଲୋକ। ପୂର୍ବ ପୁରୁଷରୁ ଆମିଷ ନ ଖାଇବାର ପରମ୍ପରା ରହି ଆସିଛି। ଏବେ ବି ସେହି ପରମ୍ପରା ଲାଗି ରହିଥିବା ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।