ସାପ କାମୁଡ଼ାରେ ମା’ପୁଅଙ୍କ ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଣାମେରୁ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଗାଁର କୁବେର କହଁରଙ୍କ ସ୍ତ୍ରୀ ରୁକୁଣୀ ଓ ତାଙ୍କ ୩ ମାସର ଶିଶୁ ପୁତ୍ରର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି।

ମା’ ଓ ଶିଶୁ ପୁତ୍ରଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଗତକାଲି ରାତିରେ କୁବେର କହଁରଙ୍କ ସ୍ତ୍ରୀ ଓ ତାଙ୍କ ୩ ମାସର ଶିଶୁ ପୁତ୍ର ଖାଇ ସାରି ଶୋଇଥିବା ବେଳେ କୁବେରଙ୍କ ସ୍ତ୍ରୀଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ମା’ ନିକଟରେ ଶୋଇଥିବା ୩ ମାସର ଶିଶୁ ପୁତ୍ର ସ୍ତନ୍ୟପାନ କରିଥିବାରୁ ବିଷକ୍ରିୟା ଯୋଗୁଁ ତାର ମଧ୍ୟ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଏହି ଘଟଣା ପରେ ବାଣାମେରୁ ଗାଁରେ ଶୋକର ଛାୟା ଖେଳିଯାଇଛି ।