ହାଇକୋର୍ଟ ଗଲା ଅର୍ଚ୍ଚନା ମାମଲା; ପୁଲିସ୍‌ ନୁହେଁ, ଇଡି ଦ୍ୱାରା ତଦନ୍ତ ଦାବି

କଟକ(ଓଡ଼ିଶା ରିପୋର୍ଟର): ବହୁର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲାକୁ ନେଇ ରାଜ୍ୟ ଉଠୁଥିବା, ପଡ଼ୁଥିବା ବେଳେ ତାଙ୍କୁ ବାନ୍ଧି ଦେଇ ଚୁପ୍‌ ବସିରହିଛି ପୁଲିସ୍‌। ଅର୍ଚ୍ଚନାଙ୍କ ଗିରଫଦାରୀଙ୍କୁ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ତାଙ୍କୁ ରିମାଣ୍ଡରେ ଆଣିବା ନାଁ ଧରୁନି ପୁଲିସ୍‌। ଏହି ମାମଲାରେ ବହୁ ବଡ଼ବଡ଼ିଆ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ପଛଘୁଞ୍ଚା ଦେଉଛି ପୁଲିସ୍‌। ପୁଲିସ୍‌ ତଦନ୍ତରେ ଶିଥିଳତା ପରିଲକ୍ଷିତ ହେବାରୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତିଙ୍କ ପକ୍ଷରୁ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏପରିକି କମିଶନରେଟ ପୁଲିସ୍‌ ଏହି ହାଇ ପ୍ରୋଫାଇଲ ସେକ୍ସ ସ୍କାଣ୍ଡାଲର ତଦନ୍ତ ଦିଗକୁ ବାଟବଣା କରୁଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯିବାକୁ ଆବେଦନରେ ଉଲ୍ଲେଖ ହୋଇଛି।

ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନାଙ୍କ ସେକ୍ସ ରାକେଟ୍ ଘଟଣା ପଦାକୁ ଆସିବା ପରେ ତାଙ୍କ ଅଜସ୍ର ସମ୍ପତ୍ତି ଠାବ ହୋଇଛି। ଅର୍ଚ୍ଚନାର ଆଖି ଝଲସିବା ପରି ବଡ଼ ବଡ଼  ବଙ୍ଗଳା, ଦାମୀ କାର୍ ତଥା କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ମନି ଲଣ୍ଡରିଂ ଘଟଣା ବି ସାମନାକୁ ଆସିଛି। ଏଥିରେ କେନ୍ଦ୍ର, ରାଜ୍ୟ ସରକାର, ଇଡି, ମୁଖ୍ୟ, ଡିଜି ପୁଲିସ୍, ଭୁବନେଶ୍ୱରର ଖଣ୍ଡଗିରି ଥାନାର IICଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଏଥିରେ ୨୫ ନେତା ସାମିଲ ଥିବା କୁହାଯାଉଥିବା ବେଳେ ସେଥରେ ୧୮ ବିଧାୟକ ସାମିଲ ଥିବା ଜଣାଯାଇଛି। ଏଥିରେ ଉଭୟ ବିଜେପି, ବିଜେପିର ତୁଙ୍ଗ ନେତା ତଥା ବଡ଼ ବଡ଼ିଆ ପୁଲିସ୍‌ ଅଧିକାରୀ ସାମିଲ ଥିବାରୁ ରାଜ୍ୟ ପୁଲିସ୍‌ ଏହାର ନିରପେକ୍ଷ ତଦନ୍ତ କରିବା ସନ୍ଦେହଘେରରେ ରହିଛି। ତେଣୁ ଏହି ସବୁକୁ ଇଡି ତଦନ୍ତ ପରସରଭୁକ୍ତ କରିବାକୁ ହାଇକୋର୍ଟରେ ଦାଏର ହୋଇଛି ମାମଲା।

କଳାହାଣ୍ଡିର କେସିଙ୍ଗାର ଏକ ଅନାମଧେୟ ଗାଁରୁ ଆସି ରାଜଧାନୀ ଛାତି ଉପରେ ରାଜ୍‌ କରୁଥିଲେ ଅର୍ଚ୍ଚନା। ଏପରିକି ଭୁବନେଶ୍ୱରର ମଞ୍ଚେଶ୍ୱର ଓ ସତ୍ୟ ବିହାରରେ ଅର୍ଚ୍ଚନାଙ୍କର ୨ ଟି ଆଲିସାନ ଘର ରହିଛି।  ନିଜ ରାଜ ଉଆସରେ ରାଣି ପରି ବଞ୍ଚୁଥିଲେ ବ୍ଲାକେମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ।

ଆଗଧାଡ଼ିର ରାଜନୈତିକ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଏମଏଲଏ, ଏମପି, ବିଲଡର, ସୁନା ବ୍ୟବସାୟୀ ପ୍ରମୁଖ ଅର୍ଚ୍ଚନାଙ୍କ ରାଜ ଉଆସରେ ଭିଡ଼ ଜମାଉଥିଲେ। ରାତି ବଢ଼ିଲେ ସେଠାରେ ଆସର ଜମୁଥିବା ବେଳେ ନିଜ ଗୁପ୍ତ କ୍ୟାମେରାରେ ଏହାକୁ ରେକର୍ଡ କରି ରଖୁଥିଲେ ଅର୍ଚ୍ଚନା। ଏହି କାମରେ ଅର୍ଚ୍ଚନା ବହୁ ଯୁବତୀଙ୍କୁ ନିୟୋଜିତ କରୁଥିଲେ। ପରେ ଏହି ଅଶ୍ଳୀଳ ଭିଡ଼ିଓ ଦେଖାଇ ତଥା ଦୁଷ୍କର୍ମ ମାମଲା କରିବାର ଧମକ ଦେଇ ବଡ଼ବଡ଼ିଆଙ୍କୁ ମନ ଇଚ୍ଛା ଲୁଟୁଥିଲେ ଅର୍ଚ୍ଚନା। କାହାଠୁ ଦାମିକିଆ ଗାଡ଼ି ତ କାହାଠୁ ସୁନା, ହୀରା ଅଳଙ୍କାର, ୩ ଲକ୍ଷର ଭ୍ୟାନିଟି ବ୍ୟାଗ୍‌ ତ କାହାଠୁ ଆଣୁଥିଲା ଦାମର ଘରସଜ୍ଜା ଆସବାବପତ୍ର।

ଅନ୍ୟମାନଙ୍କୁ ଧମକାଇ ମାଲେମାଲ ହେଉଥିବା ଅର୍ଚ୍ଚନା ନାଗ ଶେଷରେ ନିଜ ଜାଲରେ ନିଜେ ଛନ୍ଦି ହୋଇଗଲେ। ତାଙ୍କ ନାଁରେ ଭୁବନେଶ୍ୱରର ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଦୁଇଟି ଏତଲା ହୋଇଥିଲା।

ସିନେ ପ୍ରଯୋଜକ ଅକ୍ଷୟ ପରିଜା ନିଜେ ବ୍ଲାକମେଲିଂର ଶିକାର ହୋଇଥିବା ଅଭିଯୋଗ ଆଣି ସେପ୍ଟେମ୍ବର ୩୦ ତାରିଖରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଜଣେ ଯୁବତୀଙ୍କ ଜରିଆରେ ଅର୍ଚ୍ଚନା ନାଗ ତାଙ୍କୁ ବ୍ଲାକମେଲ୍‌ କରୁଥିବା ସେ ଅଭିଯୋଗ ଆଣିଥିଲେ। ଏପରିକି ତାଙ୍କୁ ଏକ ତାରକା ହୋଟେଲକୁ ଡାକି ୩ କୋଟି ଟଙ୍କା ମାଗିଥିବା ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ।

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଅଭିଯୋଗ ଆଣିଥିବା ଯୁବତୀ ଅକ୍ଟୋବର ୨ ତାରିଖରେ ଖଣ୍ଡଗିରି ଥାନାରେ ଅର୍ଚ୍ଚନା ନାଗଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏପରିକି ଅର୍ଚ୍ଚନା ନାଗ କିଛି ଆପତ୍ତିଜନକ ଭିଡିଓ ରଖି ତାଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଥିଲେ। ସମ୍ପୃକ୍ତ ଅଭିଯୋଗକାରୀ ମହିଳାଙ୍କ ଏତଲା ଆଧାରରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଗିରଫଦାରୀକୁ ୧୦ ଦିନ ବିତିଗଲେବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ପୁଲିସ୍‌। ଏପରିକି ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ବି ପଛଘୁଞ୍ଚା ଦେଇଛି।ତେଣୁ ଏନେଇ ଆଜି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ଅପରପକ୍ଷେ, ଭୁବନେଶ୍ୱର SDJM କୋର୍ଟରେ ଆଜି ଜାମିନ ଆବେଦନ କରିଛନ୍ତି ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗ। ପୂର୍ବରୁ ଏକାଧିକ ଓକିଲ ଆବେଦନ କରିଥିବାରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିନଥିଲା। ତେଣୁ ଆଜି ପୁଣି ଥରେ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।