ଛତିଶଗଡ଼ରେ ମେଞ୍ଚେ, ଓଡ଼ିଶାରେ କେଞ୍ଚେ !

ଜୟପୁର(ଟି.ଗୌରୀଶଙ୍କର):ଛତିଶଗଡ଼ରେ ମେଞ୍ଚେ। ଓଡ଼ିଶାରେ କେଞ୍ଚେ ! ଆମେ କହୁଛୁ କୋରାପୁଟ୍ କୋଟପାଡ଼ ବିଧାନସଭା କ୍ଷେତ୍ରରେ ଆସୁଥିବା ଚାନ୍ଦିଲି ପଞ୍ଚାୟତର କଥା। ଗାଁ ମଝି ଦେଇ ଯାଇଥିବା ରାସ୍ତା ଗାଁକୁ ଦୁଇ ରାଜ୍ୟ ଓଡ଼ିଶା-ଛତିଶଗଡ଼ ଭିତରେ ବାଣ୍ଟି ଦେଇଛି।  ଉଭୟ ପଟେ ରହୁଥିବା ଲୋକଙ୍କ ଭାଗ୍ୟ ଅଲଗା ଅଲଗା। ସ୍ୱାସ୍ଥ୍ୟ , ଶିକ୍ଷା, ରାସନ ସବୁ କ୍ଷେତ୍ରରେ ଛତିଶଗଡ଼ ପଟେ ‌ଆସୁଥିବା ଧନପୁଞ୍ଜି ଗାଁ ଆଗରେ ଥିବା ବେଳେ ଓଡ଼ିଶା ପଟର ଚାନ୍ଦିଲି ବହୁ ପଛରେ।  ତେଣୁ ସ୍ୱାଭାବିକ୍‌ ଭାବେ ଚାନ୍ଦିଲିବାସୀ ଏବେ ଛତିଶଗଡ଼ ମୋହରେ ପଡ଼ିଛି।

ଗୋଟିଏ ଗାଁ, ଦୁଇଟି ନାଁ। ଗାଁ ଛାତି ଚିରି ଏମୁଣ୍ଡୁ ସେମୁଣ୍ଡ ଯାଏଁ ଲମ୍ବିଥିବା ଏକ ସିସି ରାସ୍ତା ହିଁ ଗାଁକୁ ଦୁଇ ଭାଗରେ ବାଣ୍ଟି ଦେଇଛି।  ଇଏ ହେଉଛି କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ ଚାନ୍ଦିଲି।  ରାସ୍ତାର ବାମ ପାଖରେ ଛତିଶଗଡ଼ର ଧନପୁଞ୍ଜି।  ଦୁଇ ଗାଁରେ ରହୁଛନ୍ତି ଗୋଟିଏ ପରିବାର ଭାଇ ଭାଇ, ବାପା ପୁଅ । ଏମିତି ଅନେକ ସଂପର୍କୀୟ।  କିନ୍ତୁ ଗାଁ ମଝିରେ ଲମ୍ବି ଯାଇଥିବା ଏହି ରାସ୍ତା କେବଳ ଗାଁର ନାଁ ନୁହେଁ ସଂପର୍କୀୟଙ୍କ ଠିକଣା ବି ବଦଳାଇ ଦେଇଛି । କଥା ଏତିକିରେ ସରୁନି । ଛତିଶଗଡ଼ ସରକାରଙ୍କ ପକ୍ଷରୁ ଧନପୁଞ୍ଜି ବାସିନ୍ଦାଙ୍କୁ ମିଳୁଥିବା ସହାୟତା ଓ ଓଡ଼ିଶା ସରକାର ଚାନ୍ଦିଲି ବାସିନ୍ଦାଙ୍କୁ ଦେଉଥିବା ସହାୟତା ମଧ୍ୟରେ ରହିଛି ଆକାଶ ପାତାଳ ଫରକ।  କୃଷି ଋଣ ଛାଡ଼, ରାସନ କାର୍ଡଧାରୀଙ୍କୁ ୩୫ କେଜି ଚାଉଳ, କିରାସିନି ୩ ଲିଟର, ଚିନି କିଲେ, ଚଣା ଦୁଇ କେଜି, ଗୁଣ୍ଡ ଲୁଣ ଦୁଇ ପ୍ୟାକେଟ, ବିଜୁଳି ବିଲରରେ ୫୦ ପ୍ରତିଶତ ଛାଡ଼ ସହ ଚାଷ କ୍ଷେତ୍ରରେ ବିଦ୍ୟୁତ ବିଲ ସଂପୂର୍ଣ୍ଣ ଛାଡ଼ କରିଛି ଛତିଶଗଡ଼। ଅନ୍ୟପଟେ ଓଡ଼ିଶା ସରକାର ୫ କିଲୋ ଚାଉଳ ଓ ୨ ଲିଟର କିରାସିନ ଛଡ଼ା ଅନ୍ୟ କିଛି ଦେଉନଥିବା ଅଭିଯୋଗ ହୋଇଛି।

କେବଳ ରାସନ ନୁହେଁ ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଧନପୁଞ୍ଜିଠାରୁ ଢେର ପଛରେ ଚାନ୍ଦିଲି। ୧୩ଟି ଗାଁରୁ ନେଇ ଗଠିତ ଚାନ୍ଦିଲି ପଞ୍ଚାୟତରେ ହାଇସ୍କୁଲଟିଏ ନାହିଁ । ପ୍ରାଥମିକ ଶିକ୍ଷା ପରେ ଏଠାକାର ପିଲା ଛତିଶଗଡ଼ର ଧନପୁଞ୍ଜି ଉପରେ ନିର୍ଭର କରନ୍ତି । ଚାନ୍ଦିଲିରେ ଗୋଟିଏ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। କିନ୍ତୁ ସଂଜ ନଇଁଲେ ବନ୍ଦ। ସେପଟେ କିନ୍ତୁ ଲୋକଙ୍କୁ ୨୪ ଘଣ୍ଟା ସ୍ୱାସ୍ଥ୍ୟ ସେବା ମିଳୁ ଥିବା କହିଛନ୍ତି ଲୋକେ। ପଡ଼ିଶା ଓ ସଂପର୍କୀୟଙ୍କୁ ମିଳୁଥିବା ସୁବିଧା ଚାନ୍ଦିଲି ବାସିନ୍ଦାଙ୍କୁ ଛତିଶଗଡ଼ ମୋହରେ ପଡ଼ିବାକୁ ବାଧ୍ୟ କରୁଛି।  ଅନ୍ୟପଟେ କୋଟପାଡ଼ ବିଧାୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନ କହିଛନ୍ତି ଚାନ୍ଦିଲି ବାସିନ୍ଦାଙ୍କ ଦାବି ସରକାରଙ୍କ ପାଖରେ ଉପସ୍ଥାପନ କରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।