ଶ୍ରୀମନ୍ଦିର ଗର୍ଭଗୃହରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

pm-puriପୁରୀ: ଆସନ୍ତା ୭ ତାରିଖରେ ପୁରୀ ଗସ୍ତ ସମୟରେ ଶ୍ରୀମନ୍ଦିର ଗର୍ଭଗୃହରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ସନ୍ଧ୍ୟାରେ ବସିଥିବା ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜଗମୋହନ ମରାମତି ଚାଲିଥିବାରୁ ପ୍ରଧାନମନ୍ତ୍ରୀ ଗର୍ଭଗୃହରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ ସେନେଇ ଆଲୋଚନା ହୋଇଥିଲା। ଛତିଶା ନିଯୋଗର ନିଷ୍ପତ୍ତିକୁ ପରିଚାଳନା କମିଟିର ଅନୁମୋଦନ ମିଳିଛି। ସକାଳ ଧୂପ ନୀତି ଓ ମଇଲମ ଶେଷ ହେବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୋଦି। ଏଥିସହିତ ସେ ମନ୍ଦିର ବେଢ଼ା ପରିକ୍ରମା କରିବା ସହ ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି ସମୟରେ ସାଧାରଣ ଭକ୍ତିଙ୍କୁ ଦର୍ଶନ ନିମନ୍ତେ ବାରଣ କରାଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଗର୍ଭଗୃହରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ନେଇ ଛତିଶା ନିଯୋଗର ନିଷ୍ପତ୍ତିକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପାଳିଆ ସେବାୟତ, ପାର୍ଶ୍ୱ ଦେବାଦେବୀଙ୍କ ସେବାୟତ ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ପୁରୀ ଏସପି ଏହି ପରିଚୟପତ୍ର ପ୍ରଦାନ କରିବେ। ପୁରୀ ହେଲିପ୍ୟାଡରେ ପ୍ରଧାନମନ୍ତ୍ରୀ ଓହ୍ଲାଇବା ପରେ ତାଙ୍କୁ ଜିଲ୍ଲାପାଳ ଓ ଏସପି ସ୍ୱାଗତ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିବେ। ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଛତିଶା ନିଯୋଗର ନାଏକ। ପ୍ରଧାନମନ୍ତ୍ରୀ ଗର୍ଭଗୃହରେ ଶ୍ରୀଜିଉଙ୍କ ଦର୍ଶନ କରିବେ। ସକାଳ ଧୂପ ପରେ ପ୍ରଧାନମନ୍ତ୍ରୀ ଶ୍ରୀଜିଉଙ୍କ ଦର୍ଶନ କରିବେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ସାଧାରଣଲୋକେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ। ତେବେ ରାତି ୨ଟାରୁ ସକାଳ ୯ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ମନ୍ଦିର ଖୋଲା ରହିବ। ପ୍ରଧାନମନ୍ତ୍ରୀ ଫେରିଯିବା ପରେ ସାଧାରଣ ଲୋକେ ପୁଣି ଥରେ ମନ୍ଦିର ଭିତରକୁ ପ୍ରବେଶ କରି ପାରିବେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ସେହିଦିନ ଜଗମୋହନ ମରାମତି କାମକୁ କିଛି ସମୟ ପାଇଁ ବନ୍ଦ ରଖାଯିବ।