ପ୍ରଧାନମନ୍ତ୍ରୀଙ୍କ ଶ୍ରୀଜିଉଙ୍କ ଦର୍ଶନ ନେଇ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହେବ ନିଷ୍ପତ୍ତି

ଭୁବନେଶ୍ୱର: ଫେବ୍ରୁୟାରୀ ପ୍ରଥମ ସପ୍ତାହରେ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଶ୍ରୀମନ୍ଦିର ପରିଦର୍ଶନ ପାଇଁ ଯିବେ। ଏଥିପାଇଁ ବିଭିନ୍ନ ବିଭାଗରେ ଅଧିକାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଛନ୍ତି ପୁରୀ ଜିଲ୍ଲାପାଳ। ମୋଦି ଶ୍ରୀମନ୍ଦିରରେ ୪୫ ମିନିଟ ରହିବେ। ଗର୍ଭଗୃହରେ ପ୍ରଧାନମନ୍ତ୍ରୀ କିପରି ଭଲ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏ ନେଇ ଆସନ୍ତ ୧ ତାରିଖରେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ନୀତି ପ୍ରଶାସକ ପ୍ରଦୀପ ଦାସ ସୂଚନା ଦେଇଛନ୍ତି।

ସେହିପରି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କୌଳିକ ପଣ୍ଡାଙ୍କୁ ପିଏମଓ ଅଫିସରୁ ମଧ୍ୟ ଫୋନ ଯୋଗେ ଅବଗତ କରାଯାଇଛି ବୋଲି ଅତିରିକ୍ତ ଜିଲାପାଳ ଉଦ୍ଧବ ଚରଣ ମାଝି କହିଛନ୍ତି। ଅନ୍ୟପକ୍ଷରେ ମୋଦିଙ୍କ ଗସ୍ତକୁ ଆଖି ଆଗରେ ରଖି ରାଜଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଇଜର ଗସ୍ତକୁ ନେଇ ଚାଲିଥିବା ପ୍ରସ୍ତୁତିର ତଦାରଖ କରିଛନ୍ତି ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ। ପ୍ରଧାନମନ୍ତ୍ରୀ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଇଛି ବୋଲି କହିଛନ୍ତି ଜଟଣୀ ତହସିଲଦାର ବିଜୟ କୁମାର ସ୍ୱାଇଁ।

ପରାଦ୍ୱୀପ ତୈଳ ବିଶୋଧନାଗାରକୁ ମୋଦି ଲୋକାର୍ପିତ କରିବେ। ଏହାପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପରାଦ୍ୱୀପ ଯାଇ ସମୀକ୍ଷା କରିଛନ୍ତି। ସେ ଆଇଓସିଏଲ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସଭାସ୍ଥଳ, ହେଲିପ୍ୟାଡ, ପାର୍କିଂ ଅଞ୍ଚଳ ବୁଲି ଦେଖିଛନ୍ତି। ଜନ ସମାଗମକୁ ଦୃଷ୍ଟିରେ ରଖି ଏକ ଇକୋଲୋଜିକାଲ ପାର୍କ ପ୍ରସ୍ତୁତ କରାଯାଉଛି। ପ୍ରକଳ୍ପ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗ ରହିଛି ବୋଲି ସେ ସୂଚନା ଦେଇଛନ୍ତି।