ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ଫେବ୍ରୁଆରୀ ୬ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତ ସମୟରେ ସେ ପାରାଦୀପ ତୈଳ ବିଶୋଧନାଗାରକୁ ଉଦଘାଟନ କରିବା ସହିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (ନାଇଜର)କୁ ଦେଶ ଉଦ୍ଦ୍ୟେଶରେ ସମର୍ପିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଏକ ସମୀକ୍ଷା ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ଓ ସୁରକ୍ଷା ସଂପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ, ଗୃହ ସଚିବ ଅସିତ ତ୍ରିପାଠୀ, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ, ପୁରୀ ଏସପି, ନାଇଜର ଓ ପାରାଦୀପ ରିଫାଇନାରୀ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ।

ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଥିଲେ,ପ୍ରଧାନମନ୍ତ୍ରୀ ୬ ତାରିଖ ରାତିରେ ଭୁବନେଶ୍ୱରରେ ପହଞ୍ଚିବେ। ରାଜ୍ୟପାଳ ଭବନରେ ସେ ରାତ୍ରି ଯାପନ କରିବେ। ୭ ତାରିଖରେ ସେ ନାଇଜର ଯିବେ। ନାଇଜରକୁ ସେ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ। ସେଠାରୁ ସେ ପୁରୀ ଯିବେ। ପୁରୀରେ ଦର୍ଶନ ସାରି ସେ ପାରାଦୀପ ଯିବେ। ସେଠାରେ ସେ ପାରାଦୀପ ରିଫାଇନାରୀର ଉଦଘାଟନୀ ଉତ୍ସବରେ ଯୋଗ ଦେବେ। ସେଠାରୁ ସେ ଅପରାହ୍ନରେ ଭୁବନେଶ୍ୱର ଆସି ବିଶାଖାପାଟଣା ଫେରିଯିବେ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସୂଚୀରୁ ଜଣାପଡ଼ିଛି ଯେ ବାୟୂସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ବିଶାଖାପାଟଣାରୁ ଭୁବନେଶ୍ୱରକୁ ଆସିବେ। ରାତି ସାଢ଼େ ୧୦ଟାରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ରାଜ୍ୟପାଳ ଭବନରେ ସେ ରାତ୍ରି ଯାପନ କରିବେ। ତା’ପର ଦିନ ସକାଳ ୯ଟାରେ ସେ ନାଇଜରରେ ପହଞ୍ଚିବେ। ସେଠାରେ ସେ ୧ ଘଣ୍ଟା ରହିବେ। ନାଇଜରୁ ସେ ହେଲିକ୍ପଟର ଯୋଗେ ସିଧାସଳଖ ପୁରୀ ଯିବେ। ପୁରୀରେ ସେ ଶ୍ରୀଜିଉଙ୍କ ଦର୍ଶନ କରିବେ। ଦିନ ୧୨ଟାରେ ସେ ପୁରୀରୁ ହେଲିକପ୍ଟର ଯୋଗେ ପାରାଦୀପ ଯିବେ। ସେ ସେଠାରେ ପାରାଦୀପ ରିଫାଇନାରୀ ବୁଲି ଦେଖିବା ସହିତ ଏହାକୁ ଉଦଘାଟନ କରିବେ। ସେଠାରୁ କାର୍ଯ୍ୟକ୍ରମ ସାରି ସେ ଅପରାହ୍ନ ସାଢ଼େ ତିନିଟାରେ ଭୁବନେଶ୍ୱର ଫେରିଆସିବେ ଓ ଏଠାରୁ ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ବିଶାଖାପାଟଣା ଫେରିଯିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।