ପୋଲାଭରମକୁ ନେଇ ନୂଆ ବିବାଦ: ବିସ୍ଥାପିତଙ୍କ ତଥ୍ୟ ଥିବା ଫାଇଲ ହଜିଯିବାକୁ ନେଇ ରାଜନୀତି

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପର ବିସ୍ଥାପିତଙ୍କ ତଥ୍ୟ ଥିବା ଫାଇଲକୁ ନେଇ ରାଜନୀତି ଜୋର ଧରିଛି। କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟରୁ ଏହି ଫାଇଲ ହଜିଯିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ଫାଇଲ ହଜିବା ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ପୋଲାଭରମ ଗୃହ କମିଟି ସଦସ୍ୟ ସଞ୍ଜୟ ଦାସବାର୍ମା।

ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶା ଓ ଛତିଶଗଡର କେତେ ଲୋକ ବିସ୍ଥାପିତ ହେବେ ଏ ନେଇ ସୂଚନା ଅଧିକାର ଆଇନରେ ବଲାଙ୍ଗିରର ହେମନ୍ତ ପଣ୍ଡା ତଥ୍ୟ ମାଗିଥିଲେ। ତେବେ ବିଭାଗ ପକ୍ଷରୁ ପଠାଯାଇଥିବା ଉତ୍ତରରେ ଫାଇଲ ହଜିଯାଇଥିବା କୁହାଯାଇଛି। ପୂର୍ବରୁ ବିଧାନସଭା ଗୃହ କମିଟି ପୋଲାଭରମ ପ୍ରକଳ୍ପର ବିସ୍ଥାପିତଙ୍କ ସଂଖ୍ୟା ୬ହଜାର ୮୧୮ ବୋଲି କହିଥିଲେ। ଏବେ କେନ୍ଦ୍ରର ଫାଇଲ ହଜିଯିବା ନେଇ ଆଦିବାସୀ ବ୍ୟାପାର ମନ୍ତ୍ରାଳୟକୁ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଟାର୍ଗେଟ କରିଛନ୍ତି।

ମନ୍ତ୍ରୀ ଦାସବର୍ମା କହିଛନ୍ତି, ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଜଙ୍ଗଲ ଜମି ବୁଡି ଯିବା ସହ ଆଦିବାସୀମାନେ ବିସ୍ଥାପିତ ହେବା ନେଇ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ସ୍ୱୀକାର କରିଛନ୍ତି। ବିଭାଗ ତରଫରୁ ସମସ୍ତ କାଗଜ ହଜି ଯାଇଥିବା କୁହାଯିବା ଯଦି ସତ୍ୟ ତେବେ ଏହା ସାଂଘାତିକ ଘଟଣା। ଏହା ବିରୋଧରେ ସ୍ୱର ଉତ୍ତୋଳନ କରାଯିବ।

ଅନ୍ୟପକ୍ଷରେ ଏ ନେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ତାଙ୍କ ସମୟରେ କୌଣସି ତଥ୍ୟ ମଗାଯାଇ ନାହିଁ। ଯାହା କିଛି ହୋଇଥିଲା ମୋ ପୂର୍ବରୁ ମନ୍ତ୍ରୀ ଓ ମନ୍ତ୍ରାଳୟ ସେ ବିଷୟରେ ନିଷ୍ପତ୍ତି ଶୁଣାଇ ସାରିଛନ୍ତି। ପୋଲାଭରମ ନେଇ ରାଜ୍ୟ ପାଖରେ ତଥ୍ୟ ନାହିଁ କାହିଁକି ବୋଲି ସେ ପାଲାଟା ପ୍ରଶ୍ନ କରିଛନ୍ତି।

ପୂର୍ବରୁ ପୋଲାଭରମ ନେଇ ପ୍ରଧାନମନ୍ତ୍ରୀଙ୍କ ପାଖରେ ଫେରାଦ ହେବାକୁ ସମୟ ମାଗିଥିଲେ ବିଧାନସଭା କମିଟି ବର୍ତ୍ତମାନ ସୁଦ୍ଧା ସମୟ ମିଳି ନ ଥିବା ବେଳେ ପୁଣି ଏକ ନୂଆ ବିବାଦ ଦେଖାଦେଇଛି।