ପୋଲିସ ଓ ଅବକାରୀ କର୍ମଚାରୀଙ୍କ ସଲାସୁତରାରେ ଚାଲିଛି ମଦ ବେପାର

ଭୁବନେଶ୍ୱର: ରାଜପଥରୁ ୫୦୦ ମିଟର ଦୂରକୁ ମଦ ଦୋକାନ ଉଠାଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜପଥ କଡ଼ରୁ ମଦ ଦୋକାନ ହଟାଯାଇ ଗାଁରେ ଖୋଲାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି ଅବକାରୀ ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି,“ଏପରି ହେଲେ ଅଧିକ ଅସୁବିଧା ହେବ।”

ସେହିପରି ମଦ କାରବାରକୁ ନେଇ ମନ୍ତ୍ରୀ ଅସହାୟତା ପ୍ରକାଶ କରିଛନ୍ତି। ପୋଲିସ ଓ ଅବାକରୀ ବିଭାଗର ସଲାସୁତରାରେ ବେଆଇନ ମଦ କାରବାର ଚାଲିଥିବା ସେ ଖୋଲାଖୋଲି ଅଭିଯୋଗ କରିଛନ୍ତି।

ମନ୍ତ୍ରୀ କହିଛନ୍ତି,“ରାତି ୮ଟାରୁ ୯ଟା ମଧ୍ୟରେ ମଦ ଦୋକାନ ବନ୍ଦ ହୋଇଯାଉଛି। ହେଲେ ମଦ ଦୋକାନ ପାଖରେ ଥିବା ଢାବାରେ ରାତି ସାରା ଦମ କାରବାର ହେଉଛି। ପୋଲିସ ଓ ଅବକାରୀ କର୍ମଚାରୀଙ୍କ ସଲାସୁତରାରେ ଏହି ମଦ କାରବାର ହେଉଛି। ଏଥିପାଇଁ କର୍ମଚାରୀମାନେ ମାସିକ କଣ୍ଟ ମଧ୍ୟ ନେଉଛନ୍ତି। ଅବକାରୀ ବିଭାଗ ସବୁ ଜାଣିଲେ ମଧ୍ୟ କିଛି କରିପାରୁନାହିଁ।”