ଧରାପଡ଼ିଲା ସାଇବର ଲୁଟେରା, ୩୫ ଲକ୍ଷର ଲୋଭ ଦେଖାଇ ଲୁଟିଥିଲା ୧.୬୯ ଲକ୍ଷ
ଝାରସୁଗୁଡ଼ା(ଭାଗିରଥୀ ସାହୁ): କୌନ ବନେଗା କରୋଡପତିରେ ୩୫ଲକ୍ଷ ଟଙ୍କାର ଲଟେରୀ ଜିତିଥିବା କହି ଝାରସୁଗୁଡା ଜିଲ୍ଲା ବେଲପାହାଡର ଗାନ୍ଧିନଗର ଅଞ୍ଚଳର ଜଣେ ଯୁବତୀଙ୍କ ଆକାଉଣ୍ଟରେ କଳାକନା ବୁଲାଇ ଦେଇଥିବା ସାଇବର ଲୁଟେରାକୁ ବାନ୍ଧିଛି ପୁଲିସ୍। ୩୫ ଲକ୍ଷର ଲୋଭ ଦେଖାଇ ସେ ଲୁଟି ନେଇଥିଲା ୧ଲକ୍ଷ ୬୯ ହଜାର ଟଙ୍କା। ଶେଷରେ ପ୍ରାୟ ମାସେ ପରେ ବ୍ୟାଙ୍କ ଆକାଉଣ୍ଟ ଲିଙ୍କର ତଦନ୍ତ କରି ଝାରସୁଗୁଡ଼ା ପୁଲିସ୍ର ଏକ ଟିମ୍ ନେପାଳ ସୀମାରୁ ଅଭିଯୁକ୍ତକୁ ବାନ୍ଧିଛି। ଗିରଫ ଅଭିଯୁକ୍ତ ହେଉଛି ବିହାରର ନିରଜ କୁମାର।
ନେପାଳ ସୀମାରୁ ନିରଜ କୁମାରଙ୍କୁ କାବୁ କରି ଟ୍ରାନଜିଟ୍ ରିମାଣ୍ଡରେ ଆଣିଛି ଝାରସୁଗୁଡ଼ା ପୁଲିସ୍ । ଅଭିଯୁକ୍ତ ନିକଟରୁ ୪୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ନିରଜ ଏକାଧିକ ସାଇବର ଲୁଟରେ ସଂପୃକ୍ତ ଥିବା ଜଣାପଡ଼ିଛି । ସେ ପାଖାପାଖି ୩ କୋଟିରୁ ଅଧିକ ଠକେଇ କରିଥିବା ପୁଲିସ୍ ସୂଚନା ପାଇଛି । ନିରଜକୁ ଝାରସୁଗୁଡ଼ା ଆଣିବା ପରେ ତା’ସହ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ଼ କରାଯିବ ବୋଲି ପୁଲିସ୍ କହିଛି ।
ନିରଜ ନିତାଙ୍କଠାରୁ ଠକେଇ କରିଥିବା ଟଙ୍କା ତୁରନ୍ତ ନିଜ ସହଯୋଗୀ ମହେଶ କୁମାର ଓ ରମେଶ କୁମାରର ଆକାଉଣ୍ଟକୁ ପଠାଇଥିଲା । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ମୋବାଇଲ ନମ୍ବର ଲିଙ୍କ ଥିବାରୁ ପୁଲିସ ଏହାକୁ ଟ୍ରେସ କରି ନିରଜର ଲୋକସନ ଜାଣିପାରିଥିଲା।
ଏହାପରେ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ପ୍ରଥମେ ବିହାର ଓ ପରେ ନିରଜ ଥିବା ସ୍ଥାନ ନେପାଲ ବର୍ଡରକୁ ଯାଇ ସେଠାରେ ତାକୁ କାବୁ କରିଥିଲା । ତେବେ ଏବେ ମଧ୍ୟ ନିରଜର ଅନ୍ୟ ସହଯୋଗୀମାନେ ପୁଲିସ୍ ହାତରେ ଧରାପଡି ନାହାନ୍ତି । ଏହି ଗ୍ୟାଙ୍ଗକୁ ପୁଲିସ ଧରିବା ପାଇଁ ଚେଷ୍ଟା ଚଲାଇଛି । ତେବେ ନିରଜ ଓ ତାର ସହଯୋଗୀମାନେ ୨ ମାସରେ ନିରୀହ ଲୋକଙ୍କଠାରୁ ପ୍ରାୟ ୩ କୋଟି ରୁ ଉର୍ଧ୍ଵ ଟଙ୍କା ଠକେଇ କରିଥିବାବେଳେ ୭ ଦିନରେ ନିରଜ ରମେଶ କୁମାରକୁ ୩୨ ଲକ୍ଷ ଟଙ୍କା ପଠାଇଥିବାବେଳେ ମହେଶ କୁମାରକୁ ୨୬ ଲକ୍ଷ ଟଙ୍କା ପଠାଇଥିଲା ।
ସୂଚନା ଅନୁଯାୟୀ, ଗତ ୨୩ ତାରିଖ ରାତିରେ ଏକ ଅଜଣା ନମ୍ବରରୁ ଗାନ୍ଧୀନଗରର ଶକ୍ତି ଛତରଙ୍କ ଝିଅ ନୀତା ଛତରଙ୍କ ନିକଟକୁ ଏକ କଲ୍ ଆସିଥିଲା। ଅପରପାର୍ଶ୍ୱରୁ ବ୍ୟକ୍ତିଜଣକ ଆପଣ ‘କୌନ ବନେଗା କରୋଡପତି’ରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି କହିଥିଲେ । ଏହାପରେ ୨୪ ତାରିଖରେ ପୁଣି ସେହି ବ୍ୟକ୍ତି ଜଣକ ଫୋନ କରି ସରକାରୀ ଟ୍ୟାକ୍ସ ବାବଦକୁ ଏକ ଆକାଉଣ୍ଟରେ ୧୮ହଜାର ୨ଶହ ଟଙ୍କା ଜମା କରିବା ପାଇଁ କହିଥିଲା ।ଏହାପରେ ବିଭିନ୍ନ କିସ୍ତିରେ ୩୫ହଜାର, ୩୧ ହଜାର ଓ ୫ହଜାର ଟଙ୍କା ପଠାଇବା ପାଇଁ କହିଥିଲେ।
ଏପରି ଭାବେ ନୀତା ୧ଲକ୍ଷ ୬୯ ହଜାର ଟଙ୍କା ଦେବା ପରେ ମଧ୍ୟ କିଛି ଟଙ୍କା ପାଇ ନ ଥିଲେ। ଏପରିକି ଆଉ ୪୦ ହଜାର ଟଙ୍କା ଜମା କଲେ ଲଟେରୀ ପଇସା ଦିଆଯିବ ବୋଲି ବାହାନା କରିଥିଲେ ଲୁଟେରା । କିନ୍ତୁ ନୀତା ଠକେଇର ଶିକାର ହୋଇଥିବା ଜାଣି ପାରି ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ । ବେଲପାହାଡ ପୁଲିସ୍ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ କରୁଛି । ପୁଲିସ୍ ବ୍ୟାଙ୍କ ଆକାଉଣ୍ଟ ଲିଙ୍କର ତଦନ୍ତ କରି ଅଭିଯୁକ୍ତକୁ ଧରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।