ବାପାକୁ ବଳି ଦେବାକୁ ଯାଉଥିଲା ପୁଅ, ପହଞ୍ଚିଗଲା ପୁଲିସ୍‌

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଯେଉଁ ବାପା ହାତ ଧରି ଚଲାଇ ଶିଖାଇଥିଲା,  ସୁରକ୍ଷା କବଚ ହୋଇ ପାଖେ ପାଖେ ଛିଡ଼ା ହୋଇଥିଲା, ଦୁଃଖ ମାଡ଼ି ଆସିଲେ ନିଜେ ଆଗଭର ହେଉଥିଲା, ସେଇ ବାପାକୁ ବଳି ଦେବାକୁ ଉଦ୍ୟମ କରୁଥିଲା ପୁଅ। ସାମାନ୍ୟ ସମ୍ପତ୍ତି ଲୋଭରେ ପୁଅ ସାଜୁଥିଲା ବାପା ହତ୍ୟାକାରୀ। ନିଜ ବାପାକୁ ବଳି ଦେବାକୁ କରୁଥିଲା ପୂଜାପାଠ। ଏପରି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା କଲମପୁର ବେଳପଡ଼ା ଅଞ୍ଚଳରେ ଘଟିଥିବା ବେଳେ ପୁଲିସ୍‌ ପହଞ୍ଚି ବାପାଙ୍କୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ପୁଅ ଓ ପୂଜାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୁଅ ଲିଙ୍ଗରାଜ ଭୋଇ ଓ ପୂଜକ ଚିତ୍ରସେନ ରଣା ।

ଲିଙ୍ଗରାଜ ସମ୍ପତ୍ତି ପାଇବା ପାଇଁ ନିଜ ବାପାଙ୍କୁ ବାପାକୁ ବଳି ଉଦ୍ୟମ କରୁଥିବା ନେଇ ଗ୍ରାମବାସୀ ଆଜି ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ସଦଳବଳ ପହଞ୍ଚିବା ବେଳକୁ ଅଭିଯୁକ୍ତ ପୁଅ ନିଜ ବାପାକୁ କବଜା କରି ପୂଜାପୂଜି ଆରମ୍ଭ କରି ସାରିଥିଲା । ପୁଲିସ୍‌ ବୁଝାଶୁଝ କରିବାକୁ ଚେଷ୍ଟା କରିବାରୁ ମାରଣାସ୍ତ୍ରରେ  ପୁଲିସ୍‌ ଉପରକୁ ଆକ୍ରମଣ କରିଥିଲା ଲିଙ୍ଗରାଜ । ଏହାପରେ ପୁଲିସ୍‌ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲା। ଏଥିରେ ଗ୍ରାମରାକ୍ଷୀ ଗଙ୍ଗାରାମ ବାଗ ଆହତ ହୋଇଥିବାବେଳେ ଅନ୍ୟଜଣେ ସୁରକ୍ଷା କର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ପୁଅ ଲିଙ୍ଗରାଜ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ବହୁ ଚିକିତ୍ସା ପରେ ବି ଆରୋଗ୍ୟ ହୋଇପାରି ନ ଥିବା ବେଳେ ଏପରି କାଣ୍ଡ ଘଟାଇବାକୁ ଉଦ୍ୟମ କରୁଥିବା କହିଛନ୍ତି ଗ୍ରାମବାସୀ।   ତେବେ ସଂପତ୍ତି ପାଇବା ପାଇଁ ସେ ନିଜ ବାପାଙ୍କୁ ବଳି ଦେବାକୁ ଯୋଜନା କରିଥିବା କହିଛନ୍ତି ଗ୍ରାମବାସୀ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।