ଚରମ ସୀମାରେ ନବୀନ ସରକାରଙ୍କର ଆକ୍ରୋଶ, ଓଟିଭି ସାମ୍ବାଦିକଙ୍କୁ ଉଠାଇ ନେଲା ପୁଲିସ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ବିରୋଧରେ ଚରମ ସୀମାରେ ନବୀନ ସରକାରଙ୍କର ଆକ୍ରୋଶ। ଓଟିଭିର ବରିଷ୍ଠ ସାମ୍ବାଦିକଙ୍କୁ ଉଠାଇ ନେଲା ପୁଲିସ। ଓଟିଭିର ଭୁବନେଶ୍ୱର ପ୍ରତିନିଧି ରମେଶ ରଥଙ୍କୁ ଉଠାଇ ନେଲା ପୁଲିସ। ରମେଶଙ୍କୁ ତାଙ୍କ ଘର ପାଖରୁ ପୁଲିସ ଉଠାଇ ନେଲା। ୪ରୁ ୫ ଜଣ ପୁଲିସ ଜୋର ଜବରଦସ୍ତ ତାଙ୍କୁ ଉଠାଇ ନେଇଛନ୍ତି। ରମେଶଙ୍କୁ ପୁଲିସକୁ ଗାଡ଼ିରେ ବସାଇ ଅଜ୍ଞାତ ସ୍ଥାନକୁ ନେଇଯାଇଛି ପୁଲିସ। ଏମିତିକି ଫୋନ୍‌ଟିଏ କରିବାକୁ ମଧ୍ୟ ରମେଶଙ୍କୁ ସୁଯୋଗ ଦିଆଯାଇ ନଥିବା ଜଣାପଡ଼ିଛି। ଏ ସମସ୍ତ ଘଟଣା ଓଟିଭିର ଜଣେ ବରିଷ୍ଠ ଉପସ୍ଥାପିକାଙ୍କ ସାମ୍ନାରେ ଘଟିଥିଲା।

ସଂଯୋଗବଶତଃ ବରିଷ୍ଠ ଉପସ୍ଥାପିକା ଜଣକ ସେହି ରାସ୍ତାରେ ଯାଉଥିଲେ। ଏହି ସମୟରେ ରମେଶଙ୍କୁ ପୁଲିସ ଟିମ୍ ଭିଡ଼ି ଗାଡ଼ିରେ ନେଇଥିବା ଓଟିଭିର ବରିଷ୍ଠ ଉପସ୍ଥାପିକା ରାଜଶ୍ରୀ ସାହୁ ଦେଖିଥିବା କହିଛନ୍ତି। ତେବେ ତାଙ୍କୁ କାହିଁକି ଏଭଳି ଭାବରେ ଉଠାଇ ନେଲା? ସେ ସମ୍ପର୍କରେ କୌଣସି କାରଣ ଦର୍ଶାଇନାହିଁ ପୁଲିସ। ଏପରିକି ତାଙ୍କ ପରିବାରକୁ ମଧ୍ୟ ଏ ବିଷୟରେ ଅବଗତ କରିନାହିଁ। ୪ରୁ ୫ଜଣ ପୁଲିସ କର୍ମଚାରୀ ରମେଶଙ୍କୁ ଜବରଦସ୍ତି ଗାଡ଼ିରେ ବସାଇ ନେଇ ଯାଇଥିଲେ ।

ଏପରିକି ସେହି ସମୟରେ ରମେଶ କାହା ସହ କଥାବାର୍ତ୍ତା କରିବା ଲାଗି ଚାହିଁଥିଲେ ମଧ୍ୟ ପୋଲିସ ତାଙ୍କୁ ସୁଯୋଗ ଦେଇନଥିଲା । ଖାଲି ସେତିକି ନୁହେଁ ତାଙ୍କ ମୋବାଇଲ୍ ମଧ୍ୟ ଛଡ଼ାଇ ନେଇଥିଲା । ଏଠାରେ ସୂଚନା ଯୋଗ୍ୟ ଗତକାଲି ଓଟିଭିରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ସମ୍ପର୍କିତ ଏକ ରିପୋର୍ଟ ପ୍ରସାରଣ ହୋଇଥିଲା ଏହା ପରେ ପ୍ରତିଶୋଧ ପରାୟଣ ହୋଇ ପୁଲିସ ପ୍ରଶାସନ ଏଭଳି କାର୍ଯ୍ୟାନୁଷ୍ଠାନ କରିଥିବା ଆଶଙ୍କା କରାଯାଉଛି ।

ଗତ କିଛି ଦିନ ହେଲା ବିଭିନ୍ନ ମାମଲାରେ ପୁଲିସ ପ୍ରଶାସନ ଓ ବିଭିନ୍ନ ସଂସ୍ଥା ମାଧ୍ୟମରେ ଓଟିଭି ଏବଂ ଏହାର କର୍ମଚାରୀମାନଙ୍କୁ ହଇରାଣ ହରକତ କରାଯାଇ ଆସୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।