ଗୁଟ୍‌ଖା କମ୍ପାନୀଙ୍କ ବେଳା ଖରାପ; ଦୁଇ ଦିନ ହେଲା ଘାଣ୍ଟୁଛି ପୁଲିସ୍‌

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗୁଟ୍‌ଖା ବେପାରୀଙ୍କ ବେଳା ଖରାପ! ଗତ ଦୁଇ ଦିନ ହେଲା ଗଞ୍ଜାମ ପୁଲିସ୍‌ ଗୁଟ୍‌ଖା କାରଖାନାରେ ଘନଘନ ଚଢ଼ଉ କରିଛୁ। ଚମୟ ସମୟରେ ବହୁ ପରିମାଣରେ ଗୁଟ୍‌ଖା ଓ ପ୍ୟାକିଂ ସାମଗ୍ରୀ ଜବତ କରିଛି। ଗୁଟ୍‌ଖା କମ୍ପାନୀଙ୍କ କାଗଜପତ୍ର ଓ ଲାଇସେନ୍ସ ଯାଞ୍ଚ କରୁଛି ପୁଲିସ୍‌।

ସବୁ ନିୟମକୁ ଜଳାଞ୍ଜଳି ଦେଇ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚାଲୁଥିଲା ଗୁଟ୍‌ଖା କାରଖାନା। ଜାତୀୟ ରାଜପଥ ରାସ୍ତା କଡ଼େ କଡ଼େ ବଡ଼ ବଡ଼ କୋଠାରେ ମେଲିଥିଲା ଗୁଟଖା ସାମ୍ରାଜ୍ୟ। ବୁଧବାର କୌଣସି ସୂତ୍ରରୁ ଖବରପାଇ ପୁଲିସ ପ୍ରଥମେ ଅଟୋ ନଗରଠାରେ ଚଢ଼ଉ କରିଥିଲା। ସେଠାରୁ ପ୍ରାୟ ୫ ଶହ କିଲୋରୁ ଊର୍ଦ୍ଧ୍ୱ ଗୁଟଖା ଜବତ କରିଥିଲା। ଏଥିସହ ପ୍ୟାକିଂ ସାମଗ୍ରୀ ମଧ୍ୟ ଜବତ କରିଥିଲା।

ଆଜି ସକାଳେ ପୁଣି ଥରେ ପୁଲିସ୍‌ ଅଟୋ ନଗର ଭିତରେ ଥିବା ୨ଟି କୋଠରୀରେ ଚଢ଼ଉ କରିଥିଲା। ପରେ କ୍ରିଷ୍ଣା ଓ ରାଧା ବ୍ରାଣ୍ଡରେ ଥିବା ଗୁଟଖା ସାମଗ୍ରୀ ଗୁଡ଼ିକୁ ଜବତ କରିଥିଲା। ଠିକ୍‌ ସେହିଭଳି ଗୋପାଲଜୀ ନାଁରେ ଥିବା ଗୁଟଖା କମ୍ପାନୀ ଉପରେ ଚଢ଼ଉ କରିଥିଲା ପୁଲିସ୍‌। ତା’ପରେ ଜାତୀୟ ରାଜପଥ ପାର୍ଶ୍ୱରେ ୬ଟି ବଡ଼ ବଡ଼ କୋଠାରେ ଚାଲିଥିଲା ମାୱା ମସଲା ପ୍ୟାକିଂ ୟୁନିଟ୍‌ରେ ପୁଲିସ ଚଢ଼ଉ କରିଥିଲା। ତିରୁମାଲା ଇଣ୍ଡଷ୍ଟ୍ରିଜ ନାଁରେ କମ୍ପାନୀ ଖୋଲି ଏହି ସବୁ କୋଠାରେ ଗୁଟଖା କାରବାର ଚାଲିଥିଲା। ଏଠାରେ ୪୦ରୁ ଊର୍ଦ୍ଧ୍ୱ ମେସିନ ସହ ଶତାଧିକ ବସ୍ତା ମସଲା ସାମଗ୍ରୀ, ଗୁଆ, ଧୂଆଁପତ୍ର, ଅଳେଇଚ ଗୁଣ୍ଡଠାରୁ ଆରମ୍ଭ କରି ବହୁ ସାମଗ୍ରୀ, ପଲିଥିନ ରୋଲ୍‌ ରଖି ନିଜ ବ୍ୟବସାୟ ଆନ୍ଧ୍ର ଓ ଗଞ୍ଜାମରେ ମେଲାଇଥିଲେ। ଏହି ସମସ୍ତ ଜିନିଷକୁ ତନତନ କରି ଯାଞ୍ଚ କରିଛି ପୁଲିସ୍‌। ଉକ୍ତ କମ୍ପାନୀର କାଗଜପତ୍ର ଓ ଲାଇସେନ୍ସ ଯାଞ୍ଚ କରାଯାଉଛି।

ତେବେ ପୁଲିସ ଚଢ଼ଉ ବେଳେ ମାଲିକ ଆସିନଥିବାରୁ ଯାଞ୍ଚ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ପୁଲିସ ଯାଞ୍ଚ ସହ ଏଗୁଡ଼ିକୁ ସିଲ୍‌ କରି ଦିଆଯିବ ବୋଲି ଏସ୍‌ଡିପିଓ କହିଛନ୍ତି। ଗତ ୨୦୧୬ ମସିହାରେ ଏହି କମ୍ପାନୀର ୬ଟି ଜାଗାରେ ଚଢ଼ଉ କରି ବହୁ କୋଟି ମୂଲ୍ୟର ଜିନିଷ, ମେସିନ୍ ଜବତ କରାଯାଇଥିଲା। ଏବେ ପୁଣି ଥରେ ସେହି ବେପାର ଚାଲୁଥିବା ଜାଣିପାରି ପୁଲିସ୍‌ ଚଢ଼ଉ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।