ଇଏ ସେହି ମହିଳା କି? ଜାରି ହେଲା ସ୍କେଚ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ କାର ଭିତରୁ ମିଳିଥିବା ମହିଳାଙ୍କ କଙ୍କାଳର ପରିଚୟ ପାଉନି କମିଶନରେଟ୍‌ ପୁଲିସ୍‌। ସେଥିପାଇଁ କଙ୍କାଳ ଦେଖି ଅଙ୍କା ଯାଇଛି ମହିଳାଙ୍କ ସ୍କେଚ। ବେଙ୍ଗଲୁରର ବିଶେଷଜ୍ଞଙ୍କ ଦ୍ୱାରା ଅଙ୍କା ଯାଇଛି ଏହି ସ୍କେଚ। ସ୍କେଚ୍‌କୁ ଦେଖି ମହିଳାଙ୍କ ପରିଚୟ ହାସଲ ଲାଗି ଚେଷ୍ଟା କରିବ କମିଶନରେଟ୍‌ ପୁଲିସ। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଡିସିପି ଶ୍ରୀ ଦାସ କହିଛନ୍ତି, ମୃତ ମହିଳାଙ୍କ ବୟସ ୩୫ରୁ ୪୫ ବର୍ଷ ହେବ ବୋଲି ଡାକ୍ତର ଆକଳନ କରିଥିଲେ। ମହିଳାଙ୍କ ଉଚ୍ଚତା ୧୬୪ ସେମି ହେବ। ସେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିଲେ। ଫେବ୍ରୁଆରୀ ୧୨ ତାରିଖରେ ମୃତଦେହ କଙ୍କାଳ ଠାବ କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ ଠାବ ହେବାର ୩ରୁ ୬ ମାସ ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସେପ୍ଟେମ୍ୱରରୁ ଡିସେମ୍ବର ମଧ୍ୟରେ ହୁଏତ ମହିଳାଙ୍କ ମୃତ୍ୟୁ ହୋଇଥାଇପାରେ। ସେତେବେଳେ କେହି ମହିଳା ନିଖୋଜ ଥିଲେ ଆମକୁ ଜଣାଇ ପାରିବାକୁ ଡିସିପି କହିଛନ୍ତି।

ଡିସିପି ଆହୁରି କହିଛନ୍ତି, ମୃତ୍ୟୁର ଦେଢ଼ ମାସ ପୂର୍ବରୁ ମହିଳାଙ୍କ ଗୋଡ଼ ଓ ହାତ ହାଡ଼ରେ ଆଘାତ ଥିଲା। ନଖ ମଧ୍ୟ ଠିକ ଭାବେ କଟା ଯାଇନଥିଲା। ଯାହା ଡାକ୍ତର ରିପୋର୍ଟ ଦେଇଛନ୍ତି। ମୁହଁରେ ଚର୍ମ ନଥିବାରୁ କେବଳ କଙ୍କାଳ ଦେଖି ସ୍କେଚ ତିଆରି କରାଯାଇଛି। ସ୍କେଚ୍‌ ଶତ ପ୍ରତିଶତ ମ୍ୟାଚ କରିନପାରେ, କିନ୍ତୁ ସୁରାକ ଦେଇପାରିବ ବୋଲି ଡିସିପି ଉମାଶଙ୍କର ଦାସ କରିଛନ୍ତି।

ସୂଚନାରୁ ପ୍ରକାଶ, ବେଆଇନ୍‌ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨୦୧୯ ମସିହାରେ ଗଞ୍ଜାମ ପୁଲିସ ଏକ ମହିନ୍ଦ୍ରା ଗାଡି ଜବତ କରିଥିଲା। ସେବେଠାରୁ ସେହି ଗାଡି ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ ପରିତ୍ୟକ୍ତ ଭାବେ ପଡ଼ି ରହିଥିଲା। ଏବେ ସେହି ଗାଡ଼ି ଭିତରୁ ଏକ କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ପୁଲିସର ସାଇଣ୍ଟିଫିକ ଟିମ୍‌ କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣେ ମହିଳାଙ୍କ ମୃତଦେହ ବୋଲି ଜଣାପଡ଼ିଥିଲା। ମୃତ ମହିଳାଙ୍କ ବୟସ ପ୍ରାୟ ୪୫ ବର୍ଷ ବୋଲି ରିପୋର୍ଟରେ କୁହାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।