ଏଣିକି ମୋବାଇଲ ଆପ୍‌ରେ ପୁଲିସ କରିବ ପାସପୋର୍ଟ ଭେରିଫିକେସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପାସପୋର୍ଟ ଆବେଦନକାରୀଙ୍କ ପାଇଁ ଖୁସିଖବର। ଏଣିକି ପୁଲିସ ଭେରିଫିକେସନ୍ ନିମନ୍ତେ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ ଓ ନିର୍ଦ୍ଧାରିତ ଅବଧି ମଧ୍ୟରେ ମୋବାଇଲ ଆପ୍ ମାଧ୍ୟମରେ ଏହି ଯାଂଚ କାର୍ଯ୍ୟ ପୁଲିସ ସମ୍ପନ୍ନ କରିବ। ଏଥିପାଇଁ ‘ଏମ ପୁଲିସ’ ମୋବାଇଲ ଆପ୍ଲିକେସନ୍ ବ୍ୟବସ୍ଥା ଓଡ଼ିଶା ପୁଲିସ ଆରମ୍ଭ କରିଛି।
‘ଫାଇଭ-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ପାସପୋର୍ଟର ତୁରନ୍ତ ଯାଂଚ ନିମନ୍ତେ ଓଡ଼ିଶା ପୁଲିସ ପକ୍ଷରୁ ଏହି ମୋବାଇଲ ଆପ୍ଲିକେସନ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ପାସପୋର୍ଟ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବା ଦିଗରେ ଏହା ବେଶ୍ ସହାୟକ ହେବ। ଏହି ଯୋଜନାରେ ରାଜ୍ୟର ୫୫୩ଟି ପୁଲିସ ଷ୍ଟେସନକୁ ଟାବଲେଟ୍ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆଜି ୧୦୦ଟି ପୁଲିସ ଷ୍ଟେସନକୁ ଟାବଲେଟ୍ ପ୍ରଦାନ କରାଯାଇଥିବାବେଳେ ବାକି ଥାନାଗୁଡ଼ିକୁ ମାର୍ଚ୍ଚ ୨୫ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସୂଚନାଯୋଗ୍ୟ, ପାସପୋର୍ଟ ଆବେଦନ କରିବା ପରେ ଯାଂଚ ପାଇଁ ଡାକଯୋଗେ ଜିଲ୍ଲା ପୁଲିସ ମୁଖ୍ୟାଳୟ, ଏସପି-ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ପାସପୋର୍ଟ ସେକ୍ସନକୁ ଆସୁଥିଲା। ସେଠାରୁ ସମ୍ପୃକ୍ତ ଥାନାଗୁଡ଼ିକୁ ଏହା ପଠାଯାଉଥିଲା। ସମ୍ପୃକ୍ତ ଥାନା କର୍ମଚାରୀ ଏହି ପାସପୋର୍ଟ ଆବେଦନକାରୀଙ୍କ ତଥ୍ୟ ଯାଂଚ କରିବା ପରେ ତାହା ଜିଲ୍ଲା ପୁଲିସର ପାସପୋର୍ଟ ବିଭାଗକୁ ପଠାଉଥିଲେ ।

ଯେଉଁଥିପାଇଁ ଏହି ପ୍ରକ୍ରିୟା ବେଶ୍ ବିଳମ୍ବ ହେଉଥିଲା। ଏବେ ଏହି ‘ଏମ ପୁଲିସ’ ଆପ୍ ବ୍ୟବସ୍ଥା ପରେ ସାଧାରଣ ଲୋକଙ୍କର କୌଣସି ଅଭିଯୋଗ ରହିବ ନାହିଁ ତଥା ଅନଲାଇନରେ ଆବେଦନକାରୀଙ୍କ ବିବରଣୀ ପୁଲିସ ଅଧିକାରୀଙ୍କ ପାଖରେ ପହଂଚିବା ପରେ ସମ୍ପୃକ୍ତ ଥାନା ଅଧିକାରୀ ନିର୍ଦ୍ଧାରିତ ଅବଧି ମଧ୍ୟରେ ସେହି ଟାବଲେଟ୍ ମାଧ୍ୟମରେ ହିଁ ଏହି ଯାଂଚ ପ୍ରକ୍ରିୟା ଶେଷ କରିବେ। ଏହି ବ୍ୟବସ୍ଥା ଫଳରେ ସ୍ୱଳ୍ପ ସମୟ ମଧ୍ୟରେ ସାଧାରଣ ଲୋକେ ପାସପୋର୍ଟ ପାଇବାରେ ସକ୍ଷମ ହେବେ ଓ ଏହି ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହୋଇପାରିବ ବୋଲି ପୁଲିସ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।