ବିଦ୍ୟୁତକାଟ ନ କରିବାକୁ ସରକାରଙ୍କ ଆକ୍ସନ ପ୍ଲାନ୍, ଆସନ୍ତାକାଲି ଲାଗିବ ମୋହର

ଭୁବନେଶ୍ୱର: ଖରାଦିନେ ଏଥର ପାୱାରକଟ୍ ନ ହୋଇପାରେ। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଆକ୍ସନ ପ୍ଲାନ୍ । ଆଉ ଆସନ୍ତାକାଲି ବସିବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ଆକ୍ସନ ପ୍ଲାନରେ ଲାଗିବ ମୋହର। ସଂରକ୍ଷିତ ଜଳ, ପାୱାର ବ୍ୟାଙ୍କିଂ ଓ ଆବଶ୍ୟକ ହେଲେ ପାୱାର କିଣି ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଇ ଦେବାକୁ ଏଥିରେ କରାଯାଇଛି ଯୋଜନା।

ଗୁରୁବାର ବସିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶକ୍ତି, ଜଳସଂପଦ, ଓଏଚପିସି, ଗ୍ରୀଡକୋର ଅଧିକାରୀମାନେ ଯୋଗ ଦେବେ। ବୈଠକରେ ବିଦ୍ୟୁତ କାଟ୍ ନ କରିବା ପାଇଁ ପ୍ରସ୍ତୁତ ଆକ୍ସନ ପ୍ଲାନ ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ଗ୍ରୀଡକୋ ସିଏମଡି ହେମନ୍ତ ଶର୍ମା କହିଛନ୍ତି।

ଜାନୁୟାରୀ ମାସରେ ପିକ୍ ଆୱାରରେ ୩୮୦୦ମେଗାୱାଟ୍, ଫେବୃଆରୀରେ ୩୮୫୦, ମାର୍ଚ୍ଚରେ ୩୯୫୦, ଏପ୍ରିଲରେ ୪୦୫୦, ମେ ଓ ଜୁନ୍ ମାସରେ ୪ ୧୦୦ରୁ ୨୦୦ ମେଗାୱାଟ୍ ବିଦ୍ୟୁତ ଆବଶ୍ୟକ। ସଂରକ୍ଷିତ ଜଳ, ପାୱାର ବ୍ୟାଙ୍କିଂ ଓ ନୂଆ ଇଣ୍ଡିଡିପେଣ୍ଡେଟ୍ ପାୱାର ପ୍ରଡ୍ୟୁସରଙ୍କଠାରୁ ବିଦ୍ୟୁତ୍ ଆଣି ସରକାର ସଠିକ ପରିଚାଳନା କରିବେ। ପଞ୍ଜାବ ଓ ଦିଲ୍ଲୀରୁ ୨୦୦ମେଗାୱାଟ୍ ପାୱାର ବ୍ୟାଙ୍କିଂ ମାଧ୍ୟମରେ ଆଣିବାକୁ ଯୋଜନା କରାଯାଇଛି। ଆବଶ୍ୟକ ପଡିଲେ ରାଜ୍ୟ ସରକାର ପାୱାର କିଣିପାରନ୍ତି ବୋଲି ଶକ୍ତି ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ୍ ନାୟକ କହିଛନ୍ତି।

ଖରାଦିନେ ବିଦ୍ୟୁତକାଟ୍ ନ କରିବା ପାଇଁ ଆଆକ୍ସନ ପ୍ଲାନ୍ ତ ପ୍ରସ୍ତୁତ ହୋଇଛି, ତେବେ ଏହା କେତେ କାର୍ଯ୍ୟକାରୀ ହେଉଛି ତା’ଉପରେ ରହିବ ସମସ୍ତଙ୍କ ନଜର।