ରତ୍ନଭଣ୍ଡାର ଚାବି ବାବଦରେ ମୁହଁ ଖୋଲିଲେନି ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ୍ତ ମହାପାତ୍ର। ସେ ପ୍ରଥମେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନିଜ ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ସେ ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ କିଛି କହିବାକୁ ମନା କରିଦେଇଥିଲେ।

ସେ କହିଥିଲେ,“ମୁଁ କୌଣସି ବିବାଦ ଭିତରେ ନାହିଁ। ଏବେ ଏବେ ଦାୟିତ୍ୱ ନେଇଛି। ତେଣୁ ସରକାର ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ଠିକ ଭାବେ ତୁଲାଇବି। ରଥଯାତ୍ରା କିପରି ଶୃଙ୍ଖଳିତ ଭାବେ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଯାତ୍ରୀମାନଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଯଥେଷ୍ଟ ଧ୍ୟାନ ଦିଆଯିବ। ଯିଏ ଥରେ ପୁରୀ ଆସୁଛି, ସେ ଯେମିତି ଆଉଥରେ ଆସିବାକୁ ଇଚ୍ଛା ପ୍ରକାଶ କରିବେ ସେନେଇ ଗୁରୁତ୍ୱ ଦିଆଯିବ।”

ଗତ ୧୧ ତାରିଖରେ ପ୍ରଦୀପ ଜେନାଙ୍କ ସ୍ଥାନରେ ପ୍ରଦୀପ୍ତଙ୍କୁ ଶ୍ରୀମନ୍ଦିରର ନୂଆ ପ୍ରଶାସକ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।