ସାଂସଦ ପାଣ୍ଠିରେ ନିର୍ମିତ ପ୍ରକଳ୍ପର ରକ୍ଷଣାବେକ୍ଷଣା ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ ହେଉ: ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ସାଂସଦ ପାଣ୍ଠିରେ ନିର୍ମିତ ବୃହତ ପ୍ରକଳ୍ପର ରକ୍ଷଣାବେକ୍ଷଣା ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କର ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଆଜି ଏ ନେଇ ରାଜ୍ୟ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଉଷା ଦେବୀଙ୍କ ସହ ହୋଇଥିବା ବୈଠକରେ ସାଂସଦ ଏ ଭଳି ସୁପାରିଶ କରିଛନ୍ତି। ପ୍ରସ୍ତାବିତ କମିଟିରେ ବିଡିଓ ଅଧ୍ୟକ୍ଷ ରହିବେ। ସେହିଭଳି ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ, ସମିତି ମେମ୍ବର ଏବଂ ସରପଞ୍ଚ କମିଟିର ସଦସ୍ୟ ରହିବେ। ଏହି କମିଟି ସାଂସଦ ପାଣ୍ଠିରେ ନିର୍ମିତ ପ୍ରକଳ୍ପଗୁଡିକର ରେକର୍ଡ ରଖିବା ସହ ପ୍ରକଳ୍ପ ମରାମତି ପାଇଁ ସୁପାରିଶ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ କରିବ।

ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ତିଆରି ହେଉଥିବା ବେଳେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ପ୍ରକଳ୍ପ ନଷ୍ଟ ହୋଇଯାଉଛି। ତେଣୁ ଏହାକୁ ରୋକିବା ଲାଗି ସ୍ଥାନୀୟ ଜନପ୍ରତିନିଧିମାନେ ଏହାର ସୁରକ୍ଷା ଦାୟିତ୍ୱ ନେବା ଆବଶ୍ୟକ ବୋଲି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି।